ହସ୍ପିଟାଲରେ ସାପ କାମୁଡା ରୋଗୀଙ୍କୁ ଝଡାଫୁଙ୍କା କରିବା ପାଇଁ ପହଁଚିଲା ଗୁଣିଆ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। କାରଣ ଚିକିତ୍ସା ବିଜ୍ଞାନ ଯେତେ ଆଗେଇ ଗଲେ ବି ଅନ୍ଧବିଶ୍ୱାସରୁ ଏଯାଏଁ ମୁକୁଳି ପାରୁନାହିଁ ମଣିଷ । ଏବେ ବି ଲୋକେ ଅନ୍ଧବିଶ୍ୱାସ ଉପରେ ବିଶ୍ୱାସ କରି ବଞ୍ଚୁଛନ୍ତି । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ । ଜଣେ ସାପ କାମୁଡା ରୋଗୀଙ୍କୁ ହସ୍ପିଟାଲରେ ଗୁଣିଆ ଆସି ଝଡାଫୁଙ୍କା କରିବାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ଡାକ୍ତର ମୃତ ଘୋଷଣା କଲା ପରେ ସାପ କାମୁଡି ଥିବା ରୋଗୀଙ୍କୁ ବଞ୍ଚାଇବା ପାଇଁ ସମ୍ପର୍କୀୟ ଗୁଣିଆ ଡାକି ଝଡାଫୁଙ୍କା କରିଛନ୍ତି ।
ସୂଚନାନୁଯାୟୀ, କାମାକ୍ଷାନଗର ଏକତାଳି ଗାଁର ନିରଞ୍ଜନ ବିଶ୍ୱାଳ ଗତକାଲି ସକାଳୁ ବିଲକୁ ଯାଇଥିବା ବେଳେ ତାଙ୍କୁ ସାପ କାମୁଡି ଦେଇଥିଲା । ପରିବାର ଲୋକ ଖବର ପାଇବା ପରେ ନିରଞ୍ଜନଙ୍କୁ ତୁରନ୍ତ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ପରିବାର ଲୋକଙ୍କ ମନ ବୁଝିନଥିଲା । ସେମାନେ ଗୁଣିଆକୁ ଡାକି ସେହି ମେଡିକାଲ ଭିତରେ ହିଁ ଝଡାଫୁଙ୍କା ଆରମ୍ଭ କରିଦେଇଥିଲେ । ହସ୍ପିଟାଲ କର୍ତ୍ତୃପକ୍ଷ ଏଭଳି ଅଭାବନୀୟ ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସାପ କାମୁଡିବା ମାତ୍ରେ ବିଳମ୍ବ ନକରି ତୁରନ୍ତ ହସ୍ପିଟାଲ ଆଣିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ।