ପୁଣି ଥରେ ମୁଣ୍ଡ ବ୍ୟଥାର କାରଣ ହେଲାଣି କରୋନା। ଦିନକୁ ଦିନ କୋଭିଡ଼ ଆକ୍ରାନ୍ତଙ୍କ ଗ୍ରାଫ ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ମିଳିଥିବା ତଥ୍ୟ ଅନୁସାରେ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ଭ୍ୟାରିଆଣ୍ଟ ଜେଏନ ୧ ରେ ସମୁଦାୟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୦୯୭ରେ ପହଁଚିଥିବା ବେଳେ ସମୟରେ ଓଡିଶାରେ ଏହା ୧୩ଜଣ ରେ ପହଂଚିଛି। ଭୟ ବଢ଼ାଉଛି କରୋନାର ନୂଆ ଷ୍ଟ୍ରେନ ଜେ ଏନ ୧। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସମୁଦାୟ ୬ ଜଣ କୋଭିଡ଼ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।
ତେବେ କୋଭିଡର ଏହି ନୂଆ ଭାରିଆଣ୍ଟରେ ସଂକ୍ରମିତଙ୍କ ସଂଖ୍ୟା ଓଡ଼ିଶାରେ ମଧ୍ୟ ବଢି ଚାଲିଛି । ଗତକାଲି ୬୯୦ଟି ଟେଷ୍ଟ ହୋଇଥିବା ବେଳେ ୩୭୮ ହେଉଛି ଆରଟିପିସିଆର ଓ ସେଥିରୁ ୫ ଜଣ ପଜିଟିଭ ଥିବାର ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ଏହାକୁ ମିଶାଇ ରାଜ୍ୟରେ ସମୁଦାୟ କୋଭିଡ଼ ଆକ୍ରାନ୍ତଙ୍କ ସଂଖ୍ୟା ୧୩ରେ ପହଂଚିଛି।ସମସ୍ତ ସଂକ୍ରମିତ ହୋମ ଆଇସୋଲେସନରେ ଅଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି। ଡିସେମ୍ବର ୨୩ରେ ରାଜ୍ୟରେ ପ୍ରଥମ ରୋଗୀ ଚିହ୍ନଟ ହୋଇଥିବାବେଳେ ୨୪ରେ ଦ୍ଵିତୀୟ ସଂକ୍ରମିତ ଚିହ୍ନଟ ହୋଇଥିଲେ।ଏହା ପରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମାସ୍କ ବ୍ୟବହାର କରିବା ନିମନ୍ତେ ପରାମର୍ଶ ଦିଆ ଯାଇଛି। ଆଗକୁ ସ୍ଥିତି ସଂଗୀନ ହେଲେ ଆବଶ୍ୟକସ୍ଥଳେ ଗାଇଡ଼ଲାଇନ ଜାରି କରଯିବ ବୋଲି ସୂଚନା ଦିଆ ଯାଇଛି। ତେବେ ବର୍ତମାନ ଏହାର ଭୟାବହତା ଅନେକାଂଶରେ କମ ବୋଲି କୁହାଯାଇଛି ।