ମଙ୍କିପକ୍ସ ବା M-ପକ୍ସକୁ ନେଇ ଭାରତ ସରକାର ଚିନ୍ତାରେ ପଡିଛନ୍ତି । ଗତ ଗୁରୁବାରଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍କିପକ୍ସକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବେ ଘୋଷଣା କରିଛି । ତେବେ ଭାରତରେ ଏପରି ସ୍ୱାସ୍ଥ୍ୟ ସଙ୍କଟର ମୁକାବିଲା ନିମନ୍ତେ ଉଚ୍ଚସ୍ତରୀୟ ସମୀକ୍ଷା କରି ସତର୍କ ରହିବାକୁ ପରାମର୍ଶ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା । ଏହା ସହ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହ ବର୍ତ୍ତମାନ ଭାରତର ସ୍ଥିତି ଓ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଥିଲେ ନଡ୍ଡା । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ କୌଣସି ବ୍ୟକ୍ତି ମଙ୍କିପକ୍ସରେ ଆକ୍ରାନ୍ତ ହୋଇନାହାନ୍ତି ।
ଏହାସହିତ ବିମାନବନ୍ଦର, ସାମୁଦ୍ରିକ ବନ୍ଦର ଓ ସୀମାନ୍ତରେ ସ୍ୱାସ୍ଥ୍ୟ ରକ୍ଷା ୟୁନିଟ ଗୁଡିକଙ୍କୁ ମୁତୟନ କରିବା ସହ, ସ୍ୱତନ୍ତ୍ର ପରୀକ୍ଷାଗାରର ସ୍ଥାପନ କରିବାକୁ ନିର୍ଦେଶ ଦିଆଯାଇଛି । ସଂକ୍ରମଣ ଭୟ ଉପୁଜିଲେ ଚିହ୍ନଟ, ସଙ୍ଗରୋଧ ଓ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ କରାଇବାକୁ ନିଷ୍ପତ୍ତି ନିଆଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ତିତି ଉପରେ ବିଶେଷ ଧ୍ୟାନ ଦେବା ସହ, ଜରୁରୀକାଳୀନ ପରିସ୍ଥିତି ନିମନ୍ତେ ପ୍ରସ୍ତୁତ ରହିଛି ବୋଲି ପ୍ରକାଶ କରାଯାଇଛି ।
ସୂଚନାଯୋଗ୍ୟ ପାକିସ୍ଥାନରେ ପ୍ରଥମ ମଙ୍କିପକ୍ସ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛି । ସାଉଦି ଆରବରୁ ଫେରିବା ପରେ ଏହି ବ୍ୟକ୍ତି ମଙ୍କିପକ୍ସରେ ଆକ୍ରାନ୍ତ ହୋଇଛନ୍ତି । ଏହାପରେ ସମଗ୍ର ଦେଶ ହାଇଆଲର୍ଟରେ ରହିଛି । ଏହି ରୋଗ ସଂକ୍ରମଣ ତଥା ବ୍ୟାପିବା ଆଗରୁ ପ୍ରତିରୋଧ ପାଇଁ ସରକାର ଆଗୁଆ ପଦକ୍ଷେପ ନେଉଛନ୍ତି । ବିମାନ ବନ୍ଦରରେ ପାକିସ୍ତାନରୁ ଆସୁଥିବା ଯାତ୍ରୀଙ୍କ ଠାରେ ମଙ୍କିପକ୍ସର ଲକ୍ଷଣ ଦେଖିବାକୁ ମିଳୁଛି କି ନାହିଁ ତାହା ଗୁରୁତର ଭାବେ ଯାଞ୍ଚ କରାଯାଉଛି । ପରିମଳ ବ୍ୟବସ୍ଥାକୁ କଡାକଡି କରିବା ସହ ଏହାର ବ୍ୟାପକ ଧ୍ୟାନ ଦେବାକୁ ସୂଚନା ଦିଆଯାଇଛି ।