ଶୋଇବା ହେଉଛି ମାନସିକ ଏବଂ ଶାରୀରିକ କାର୍ଯ୍ୟକଳାପର ଏକ ଅବସ୍ଥା ଯେଉଁଥିରେ ଚେତନା ପରିବର୍ତ୍ତନ ହେବା ସହ ଏକ ନିର୍ଦ୍ଦିଷ୍ଟ ପରିମାଣରେ ସମ୍ବେଦନଶୀଳ କାର୍ଯ୍ୟକଳାପ ପ୍ରତିବନ୍ଧିତ ହୁଏ । ତେବେ ଏହି କାର୍ଯ୍ୟବ୍ୟସ୍ତ ଜୀବନରେ ନିଦ୍ରା ହେଉଛି ଏକମାତ୍ର ଉପାୟ ଯାହା ଦ୍ୱାରା କ୍ଲାନ୍ତକୁ ଦୂରେଇଥାଏ । ହେଲେ ନିଦ୍ରା ଅଭାବ ଯୋଗୁ କାହିଁକି ଆମ ମସ୍ତିଷ୍କ କାମ କରେ ନାହିଁ? ମସ୍ତିଷ୍କ ଓ ନିଦର ସମ୍ପର୍କ କ’ଣ? ଗବେଷକଙ୍କ କହିବା ଅନୁସାରେ, ନିଦ ପୂରଣ ନ ହେବା ଦ୍ୱାରା ଆମ ମସ୍ତିଷ୍କକୁ ଖୁବ୍ କ୍ଷତି ପହଞ୍ଚେ । ଏହା ଦ୍ୱାରା ଅଲ୍ଝାଇମର୍ସ ଭଳି ସ୍ନାୟବିକ ରୋଗ ମଧ୍ୟ ହୋଇପାରେ । ଏକ ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି, ଆମ ମସ୍ତିଷ୍କରେ ଏକ ସୁରକ୍ଷାତ୍ମକ ପ୍ରୋଟିନ୍ ଥାଏ । ନିଦ ପୂରଣ ନ ହେବା ଦ୍ୱାରା ତା’ର ସ୍ତର ହ୍ରାସ ପାଏ ।
ନିଦ୍ରା ଅଭାବ ଯୋଗୁ ମସ୍ତିଷ୍କର ମେମୋରି ହବ୍ ‘ହିପ୍ପୋକ୍ୟାମ୍ପସ୍’କୁ କ୍ଷତି ପହଞ୍ଚେ । ଏଥିଯୋଗୁ ସ୍ନାୟବିକ ରୋଗ ହୋଇଥାଏ । ନିଦ୍ରା ଅଭାବ ଦ୍ୱାରା ମସ୍ତିଷ୍କରେ ହେଉଥିବା ପରିବର୍ତ୍ତନଗୁଡ଼ିକୁ ବୁଝିବା ପାଇଁ ବୈଜ୍ଞାନିକମାନେ ମୂଷାଙ୍କ ଉପରେ ପରୀକ୍ଷା କରି ପ୍ରୋଟିନ୍ ଅଭାବ ଓ ଆର୍ଏନ୍ଏରେ ପରିବର୍ତ୍ତନର ଯାଞ୍ଚ୍ କଲେ । ସେମାନେ ମୂଷାଙ୍କୁ ଦୁଇଦିନ ଶୋଇବାକୁ ଦେଲେ ନାହିଁ । ଏହା ପରେ ମୂଷାଙ୍କ ଉପରେ ସ୍ମରଣଶକ୍ତି ପରୀକ୍ଷା କଲେ । ତା’ପରେ ମୂଷାଙ୍କ ହିପ୍ପୋକ୍ୟାମ୍ପିରେ ଉତ୍ପନ୍ନ ହେଉଥିବା ପ୍ରୋଟିନ୍କୁ ବାହାର କଲେ । ଏହାର ତଥ୍ୟକୁ ପର୍ଯ୍ୟାପ୍ତ ଶୋଇଥିବା ମୂଷାଙ୍କ ପ୍ରୋଟିନ୍ ସହ ତୁଳନା କରାଯିବା ପରେ ଜଣାପଡ଼ିଲା କି କମ୍ ଶୋଇଥିବା ମୂଷାଙ୍କଠାରେ ପ୍ଲିୟୋଟ୍ରୋଫିନ୍ ନାମକ ପ୍ରୋଟିନ୍ର ମାତ୍ରା କମିଯାଇଥିଲା । ଏହି ପ୍ରୋଟିନ୍ ମଣିଷର ହିପ୍ପୋକ୍ୟାମ୍ପସ୍ରେ ସୃଷ୍ଟି ହୁଏ । ଏହାର ଅଭାବ ଯୋଗୁ ହିପ୍ପୋକ୍ୟାମ୍ପସ୍ରେ ସୃଷ୍ଟି ହେଉଥିବା କୋଷିକା ନଷ୍ଟ ହେବାକୁ ଲାଗନ୍ତି । ଫଳରେ ମସ୍ତିଷ୍କ ଠିକ୍ରେ କାମ କରିପାରେ ନାହିଁ ଏବଂ ସ୍ମରଣ ଶକ୍ତି ମଧ୍ୟ ହ୍ରାସ ପାଇଥାଏ । ଏକ ଅଧୟନରୁ ଜଣାଯାଇଛି ଯେ ଗଭୀର ନିଦରେ ମସ୍ତିଷ୍କରୁ ଉତ୍ପନ୍ନ ତରଙ୍ଗ ଅତ୍ୟନ୍ତ ଧୀମା ଥାଏ । ଏହି ସମୟରେ ମସ୍ତିଷ୍କର ହିପ୍ପୋକ୍ୟାମ୍ପସ୍ ଓ ତର୍କ କରୁଥିବା ସେରେବ୍ରଲ୍ କୋର୍ଟେକ୍ସ ପରସ୍ପର ବାର୍ତ୍ତାଳାପ କରନ୍ତି । ଏହି ସମୟରେ ମସ୍ତିଷ୍କର ଭିନ୍ନ ଭିନ୍ନ ଅଂଶର ନ୍ୟୁରନ୍ ପରସ୍ପର ସହ ସୂଚନା ବିନିମୟ କରନ୍ତି ।
ଅଧିକ ପଢନ୍ତୁ: ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୫ ଆକ୍ରାନ୍ତ ଚିହ୍ନଟ