ଭୁବନେଶ୍ୱର: ପୁରୀ ସ୍ଥିତ ହୋଟେଲ ସ୍ଵସ୍ତି ପ୍ରିମିୟମ୍ ବିଚ୍ ରିସର୍ଟଠାରେ ପୂର୍ବ ଜୋନ୍ ରିୟୁମାଟୋଲୋଜି ଆସୋସିଏସନ୍ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପୁରୀ ସାଂସଦ ସମ୍ବିତ ପାତ୍ର ଏଥିରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହି ସମ୍ମିଳନୀରୁ ଆନୁଷ୍ଠାନିକଭାବେ ଉଦଘାଟନ କରିଛନ୍ତି । ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ଡାକ୍ତର ଅମିତା ଅଗ୍ରୱାଲ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ ।
ସେପ୍ଟେମ୍ବର ୧୩ ରୁ ୧୫ ତାରିଖ ମଧ୍ୟରେ ତିନି ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିଥିଲା । ଏହି ସମ୍ମିଳନୀରେ ପୂର୍ବ ଭାରତର ୧୧ଟି ରାଜ୍ୟରୁ ପ୍ରାୟ ୩୦୦ ପ୍ରତିନିଧୀଙ୍କ ଅଂଶଗ୍ରହଣ କରିଛନ୍ତି । ପ୍ରଥମ ଦିନରେ ପୁରୀର ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଏବଂ ହସପିଟାଲରେ ଏକ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ନାତକ ପଢୁଥିବା ଛାତ୍ରମାନଙ୍କୁ ରିମାଟୋଲୋଜିର ମୌଳିକ ଶିକ୍ଷା ଦିଆଯିବା ସହିତ ବିଭିନ୍ନ କ୍ଲିନିକାଲ ପ୍ରଦର୍ଶନ ମଧ୍ୟ କରାଯାଇଥିଲା । କାର୍ଯ୍ୟକ୍ରମର ଏକ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀମାନେ ‘ରିୟୁମାଟୋଲୋଜି ସଚେତନତା’ ବିଷୟବସ୍ତୁ ଉପରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।
ସେହିପରି ପିଜି କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଡକ୍ଟର ଏସ୍ ଡି ଦେଓଧର ଅଲ୍ ଇଣ୍ଡିଆ ଇଣ୍ଟରକଲିଜିଏଟ୍ ରିୟୁମାଟୋଲୋଜି କୁଇଜର ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ଆସନ୍ତା ଅକ୍ଟୋବର ୨୦୨୪ରେ ହେବାକୁ ଥିବା ଜୋନାଲ ପ୍ରତିଯୋଗିତା ପାଇଁ ଗୋଟିଏ ଦଳ ଚୟନ କରାଯାଇଛି ।
ଭୁବନେଶ୍ୱରର ଆଇଏମ୍ଏସ୍ ଏବଂ ସମ ହସ୍ପିଟାଲର କ୍ଲିନିକାଲ୍ ଇମ୍ୟୁନୋଲୋଜି ଓ ରିୟୁମାଟୋଲୋଜି ବିଭାଗ ଏହି ସମ୍ମିଳନୀକୁ ଆୟୋଜନ କରିଥିବାବେଳେ ପ୍ରଫେସର ପ୍ରଦୀପ ଶେଖର ପାତ୍ର ଏବଂ ଡକ୍ଟର ରଶ୍ମି ରଂଜନ ସାହୁ ଏହି କାର୍ଯ୍ୟକ୍ରମର ଦାୟିତ୍ୱ ଭାର ସମ୍ଭାଳି ଥିଲେ ।
କିମସର ରିୟୁମାଟୋଲୋଜି ବିଭାଗର ପ୍ରଫେସର ରାମନାଥ ମିଶ୍ର ଏବଂ କଟକ ଏସସିବି ମେଡିକାଲ୍ କଲେଜର ପ୍ରଫେସର ବିଦ୍ୟୁତ୍ କୁମାର ଦାଶ ପରିଚାଳନା କରିଥିଲେ । ଏହି ଅଧିବେଶନରେ "Unravelling the Conundrums in Rheumatology" ବିଷୟବସ୍ତୁ ଅଧୀନରେ ଉଭୟ ରାଜ୍ୟ ତଥା ଜାତୀୟ ବିଶେଷଜ୍ଞ ତଥ୍ୟ ଉପସ୍ଥାପନା କରିଥିଲେ।
ନୂଆଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଆପୋଲୋ ହସପିଟାଲର ବରିଷ୍ଠ ପରାମର୍ଶଦାତା ରିୟୁମାଟୋଲୋଜିଷ୍ଟ ପ୍ରଫେସର ରୋହିଣୀ ହାଣ୍ଡାଙ୍କ ଦ୍ୱାରା ପ୍ରଦତ୍ତ ପ୍ରଫେସର ଆର ଏନ ରଥଙ୍କ ଓରେସନ ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା । ଏଥିସହ କୋଲକାତାର ବି ଆର ସିଂ ହସ୍ପିଟାଲର ମେଡିସିନ୍ ଏବଂ ରିଓମାଟୋଲୋଜି ବିଭାଗର ମୁଖ୍ୟ ପରାମର୍ଶଦାତା ଡକ୍ଟର ଶ୍ରାବଣୀ ରୁଦ୍ର ସେନଗୁପ୍ତାଙ୍କୁ ଡକ୍ଟର ମଞ୍ଜୁଶ୍ରୀ ମିତ୍ର ଓରେସନରେ ସମ୍ମାନିତ କରାଯାଇଥିଲା ।