ଭୁବନେଶ୍ୱର: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଓଡ଼ିଶା ଗସ୍ତ ବିବାଦ ଘେରକୁ ଆସିଛି । କଟକଣା ସତ୍ତ୍ୱେ ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିର ପରିସରରେ ଭିଡ଼ିଓ ସୁଟ୍ କରିବାକୁ ନେଇ ବିବାଦ ସୃଷ୍ଟି ହୋଇଛି ।
ନିକଟରେ ଶିଳ୍ପା ସେଟ୍ଟୀ କୁନ୍ଦ୍ରା ଓଡ଼ିଶା ଗସ୍ତରେ ଆସିଥିଲେ । ଏହି ସମୟରେ ସେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିଥିଲେ । ଦର୍ଶନବେଳେ ମନ୍ଦିର ପରିସରରେ ସେ ଭିଡ଼ିଓ ରେକର୍ଡ କରି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ୍ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଭିଡ଼ିଓରେ ତାଙ୍କୁ ଜଣେ ସେବାୟତ ମନ୍ଦିର ବିଷୟରେ ବୁଝାଉଥିବା ମଧ୍ୟ ଦେଖିବାକୁ ମିଳିଛି । ଏମିତିକି ସେବାୟତ ଜଣକ ଫଟୋ ମଧ୍ୟ ଉଠାଇଛନ୍ତି । ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି । ମନ୍ଦିର ପରସରରେ ଫଟୋ ଉଠାଇବା ବାରଣ ଥିବା ସତ୍ତ୍ୱେ ଶିଳ୍ପା କେମିତି ଭିଡ଼ିଓ ସୁଟ୍ କଲେ । ଏମିତି କି ତାଙ୍କୁ ଅନୁମତି କିଏ ଦେଲା ? ସାଧାରଣ ଜନତା ଏବଂ ସେଲିବ୍ରେଟୀଙ୍କ ପାଇଁ କଣ ଭିନ୍ନ ଭିନ୍ନ ନିୟମ ବୋଲି ଅନେକ ପ୍ରଶ୍ନ କରିଛନ୍ତି ।
ଅନ୍ୟପକ୍ଷରେ ବିବାଦ ପରେ ଶିଳ୍ପା ସେଟ୍ଟୀ ନିଜ ଇନଷ୍ଟାଗ୍ରାମରୁ ଭିଡ଼ିଓଟିକୁ ହଟାଇ ଦେଇଛନ୍ତି । କିନ୍ତୁ ଭିଡ଼ିଓଟି ଅନ୍ୟ ପାଖରେ ପହଁଚି ସାରିଛି । ତେବେ ଏ ନେଇ ମନ୍ଦିର କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ ।