ମୁମ୍ବାଇ: ଭାରତୀୟ ସିନେମାର ସମ୍ମାନଜନକ ସମ୍ମାନ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି । ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଚଳିତଥର ବଲିଉଡ ଉପରେ ଭାରି ପଡ଼ିଛି ସାଉଥ ସିନେମା । ଦକ୍ଷିଣ ଭାରତ ସିନେମା ଜଗତର ଫିଲ୍ମ ଓ ଚଳଚ୍ଚିତ୍ର ତାରକାମାନେ ଏଥର କମାଲ କରି ଦେଖାଇଛନ୍ତି । ୨୦୨୨ ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ପାଇଁ ଏହି ବର୍ଷର ପୁରସ୍କାର ଘୋଷଣା ହୋଇଛି । ନିର୍ଦ୍ଦେଶକ ତଥା ଅଭିନେତା ଋଷଭ ଶେଟ୍ଟୀ ଶ୍ରେଷ୍ଠ ଅଭିନେତା ହୋଇଥିବା ବେଳେ ନିତ୍ୟା ମେନନ ଓ ମାନସୀ ପାରେଖ ଯୁଗ୍ମ ଶ୍ରେଷ୍ଠ ଅଭିନେତ୍ରୀ ହୋଇଛନ୍ତି ।
ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ, ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ଦେଶର ଅନ୍ୟାନ୍ୟ ବର୍ଗରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ୨୦୨୨ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘କାନ୍ତାରା’ରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ମନ କିଣି ଥିବା ନିର୍ଦ୍ଦେଶକ ତଥା ଅଭିନେତା ଋଷଭ ଶେଟ୍ଟୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ଶ୍ରେଷ୍ଠ ଅଭିନେତା ପାଇଁ ବିବେଚିତ ହୋଇଛନ୍ତି । ସେହିପରି ନିତ୍ୟା ମେନନ (ଥିରୁଚିତ୍ରାମ୍ବଲମ୍) ଓ ମାନସୀ ପାରେଖ (କଚ୍ଛ ଏକ୍ସପ୍ରେସ୍) ଯୁଗ୍ମ ଶ୍ରେଷ୍ଠ ଅଭିନେତ୍ରୀ ହୋଇଛନ୍ତି ।
ମନୋଜ ବାଜପେୟୀଙ୍କ ଗୁଲମୋହର ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ପାଇଛି । ଫିଲ୍ମ ‘ଉଞ୍ଚାଇ’ ପାଇଁ ସୁରଜ ବଡ଼ଜାତ୍ୟା ଶ୍ରେଷ୍ଠ ନିର୍ଦ୍ଦେଶକ ଘୋଷିତ ହୋଇଛନ୍ତି । ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ନୀନା ଗୁପ୍ତା (ଉଞ୍ଚାଇ) ଓ ଶ୍ରେଷ୍ଠ ସହାୟକ ଅଭିନେତା ପୱନ ରାଜ ମଲହୋତ୍ରା ‘ଫୌଜା’ (ହରିୟାଣୀ ଚଳଚ୍ଚିତ୍ର) ହୋଇଛନ୍ତି ।