ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଶେଷ ହୋଇଛି । ସୁଶାନ୍ତଙ୍କ ମୃତ୍ୟୁର ପ୍ରାୟ ପାଞ୍ଚ ବର୍ଷ ପରେ କେନ୍ଦ୍ରିୟ ଯାଞ୍ଚ ବ୍ୟୁରୋ(ସିବିଆଇ) କୋର୍ଟରେ କ୍ଲୋଜର ରିପୋର୍ଟ ଦାଖଲ କରିଛନ୍ତି । ଏହା ଏକ ଅପମୃତ୍ୟୁ ମାମଲା ବୋଲି କୁହାଯାଇଛି । ବିଭିନ୍ନ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ହାଇପ୍ରୋଫାଇଲ ମାମଲାକୁ ନେଇ ସିବିଆଇ ନିଜର କ୍ଲୋଜର ରିପୋର୍ଟ ମୁମ୍ବାଇସ୍ଥିତ ଏକ ଅଦାଲତରେ ଦାଖଲ କରିଛି। ଆତ୍ମହତ୍ୟା ପାଇଁ ସୁଶାନ୍ତଙ୍କ ଉପରେ କୌଣସି ଚାପ ପ୍ରୟୋଗ କରାଯାଇ ନାହିଁ ବୋଲି ଏହି ରିପୋର୍ଟରେ କୁହାଯାଇଛି। ଏହା ସହିତ ସୁଶାନ୍ତଙ୍କୁ ଜୀବନ ହାରିବା ପାଇଁ ଉସକାଯାଇଥିବାର କୌଣସି ପ୍ରମାଣ ଏଜେନ୍ସି ପାଇନଥିବାରୁ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାରକୁ କ୍ଲିନ୍ ଚିଟ୍ ଦିଆଯାଇଛି ।
ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ୩୪ ବର୍ଷ ବୟସରେ ହୋଇଥିଲା । ସେ ୨୦୨୦ ଜୁନ୍ ୧୪ ତାରିଖରେ ତାଙ୍କ ବାନ୍ଦ୍ରାସ୍ଥିତ ଘରେ ମୃତ ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ । ଏହି ଘଟଣାକୁ ନେଇ ବହୁ ବିବାଦ ଦେଖା ଦେଇଥିଲା । ଖାଲି ସେତିକି ନୁହେଁ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକବର୍ତ୍ତୀ ତାଙ୍କ ଏପରି ଅବସ୍ଥା ପାଇଁ ଦାୟୀ ବୋଲି ସୁଶାନ୍ତଙ୍କ ପରିବାର ଲୋକେ ଅଭିଯୋଗ ଆଣିଥିଲେ ।
ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ବାପା କେ.କେ. ସିଂ ପାଟନାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ରିୟା ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଉସକାଇଥିବା ସହ ତାଙ୍କୁ ମାନସିକ ନିର୍ଯାତନା ଦେଇଥିବା ନେଇ ସେ କହିଥିଲେ। କେ.କେ. ସିଂଙ୍କ ଅଭିଯୋଗ ଆଧାରରେ ପାଟନା ପୋଲିସ ରିୟାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ତେବେ ଏହାର ଜବାବରେ ରିୟା ମଧ୍ୟ ମୁମ୍ବାଇରେ ଏକ କାଉଣ୍ଟର ଅଭିଯୋଗ କରିଥିଲେ, ଯେଉଁଥିରେ ସେ ସୁଶାନ୍ତଙ୍କ ଭଉଣୀଙ୍କ ଉପରେ ନକଲି ଡାକ୍ତରୀ ପ୍ରେସ୍କ୍ରିପ୍ସନ୍ ନେଇଥିବାର ଅଭିଯୋଗ କରିଥିଲେ।
୨୦୨୦ ଅଗଷ୍ଟରେ ସିବିଆଇ ଏହି ମାମଲାର ତଦନ୍ତ ଭାର ନିଜ ହାତକୁ ନେଇଥିଲା। ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ମାମଲାର ତଦନ୍ତ କରିବା ପରେ ଶନିବାର ସିବିଆଇ ପକ୍ଷରୁ ଉଭୟ ମାମଲାର କ୍ଲୋଜର ରିପୋର୍ଟ ଦାଖଲ କରାଯାଇଛି। ଉକ୍ତ ରିପୋର୍ଟରେ ରିୟା ଏବଂ ତାଙ୍କ ପରିବାରକୁ କ୍ଲିନ୍ ଚିଟ୍ ଦିଆଯାଇଛି। ତଦନ୍ତ ବେଳେ ସିବିଆଇ ରିୟାଙ୍କୁ ମିଶାଇ ୨୦ରୁ ଅଧିକ ଜଣଙ୍କୁ ପଚରାଉଚରା କରିଥିଲା।