ମୁମ୍ବାଇ: ଏନସିପି ନେତା ତଥା ମହାରାଷ୍ଟ୍ର ସରକାରଙ୍କର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡ ପରେ ଏବେ ସମସ୍ତଙ୍କ ମନରେ ଛନକା ପଶିଛି । ଏହି ହତ୍ୟାକାଣ୍ଡରେ ଲରେନ୍ସ ବିଷ୍ଣୋଇର ହାତ ଥିବା ପୁଲିସ ସ୍ପଷ୍ଟ କରିଥିବାବେଳେ ଏବେ ବଲିଉଡ୍ ଦବଙ୍ଗ ଷ୍ଟାର ସଲମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । କାରଣ ଲରେନ୍ସରେ ଟାର୍ଗେଟରେ ଭାଇଜାନ୍ ମଧ୍ୟ ରହିଛନ୍ତି । ଏବେ ଆଉ ଜଣେ ହାସ୍ୟ କଳାକାରଙ୍କ ଚିନ୍ତା ମଧ୍ୟ ପୁଲିସକୁ ଘାରିଛି । ଷ୍ଟାଣ୍ଡ୍ ଅପ୍ କମେଡିଆନ୍ ମୁନ୍ନାୱର ଫାରୁକିଙ୍କ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢ଼ାଇ ଦିଆଯାଇଛି ।
ଗତ ମାସରେ ମୁନ୍ନାୱର ଫାରୁକିଙ୍କୁ ଗୁଳି କରି ହତ୍ୟା କରାଯିବ ବୋଲି ଧମକ ମିଳିଥିଲା । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର କିଛି ସଦସ୍ୟ ତାଙ୍କୁ ଦିଲ୍ଲୀରେ ହତ୍ୟା କରିବାକୁ ଧମକ ଦେଇଥିଲେ । ଏହା ପରେ ସତର୍କତାମୂଳକ ପଦକ୍ଷେପ ଭାବରେ ଦିଲ୍ଲୀ ପୁଲିସ ପକ୍ଷରୁ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା । ସୁପାରୀ କିଲରମାନେ ମୁନ୍ନାୱରଙ୍କ ସହିତ ସମାନ ବିମାନରେ ମୁମ୍ବାଇ ଯାତ୍ରା କରିଥିଲେ ଏବଂ ଦିଲ୍ଲୀରେ ସେ ରହୁଥିବା ହୋଟେଲରେ ସେମାନେ ମଧ୍ୟ ରୁମ ବୁକ ରହିଥିଲେ ବୋଲି ଜଣାପଡ଼ିଥିଲା । ଗୁଇନ୍ଦା ବିଭାଗରେ ସୂଚନା ପରେ ଏହି ହତ୍ୟାକାଣ୍ଡ ଯୋଜନାକୁ ସଫଳତାର ସହ ଏଡ଼ାଇ ଦିଆଯାଇ ପାରିଥିଲା । ସେଠାରେ ସେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଖେଳିବାକୁ ଯାଇଥିଲେ ।
ମୁନ୍ନାୱର ଅତୀତରେ ହିନ୍ଦୁ ଦେବତାମାନଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । ଯାହା ପରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା ଏବଂ ସେ ଜେଲ ମଧ୍ୟ ଯାଇଥିଲେ । ସେଥିପାଇଁ ବିଷ୍ଣୋଇ ଗ୍ୟାଙ୍ଗର ହିଟ୍ ଲିଷ୍ଟରେ ମୁନ୍ନାୱର ରହିଥିବା କୁହାଯାଉଛି ।
ତେବେ ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡ ପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ତାଲିକାରେ ମୁନ୍ନାୱର ଫାରୁକି ମଧ୍ୟ ଥିବା ସନ୍ଦେହ କରାଯାଉଛି । ଖାଲି ସେତିକି ନୁହେଁ ସଲମାନ ଖାନ ଏବଂ ସିଦ୍ଦିକିଙ୍କ ପୁଅ ମଧ୍ୟ ଏହି ତାଲିକାରେ ରହିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ।