ପ୍ରଭାସଙ୍କ ନୂଆ ଚଳଚିତ୍ର କଳକୀ ୨୮୯୮ଏଡ଼ି'ର ଟ୍ରେଲର ରିଲିଜ ହୋଇସାରିଛି । ଦର୍ଶକମାନେ ଫିଲ୍ମକୁ ଦୀର୍ଘ ଦିନ ଧରି ଅପେକ୍ଷା କରିଥିବାବେଳେ ଫିଲ୍ମର ନିର୍ମାତା ସୋମବାର ସନ୍ଧ୍ୟାରେ ଟ୍ରେଲର ରିଲିଜ କରିଛନ୍ତି। କଳକୀ ୨୮୯୮ଏଡ଼ି ଜୁନ୍ ୨୭ ତାରିଖରେ ପ୍ରେକ୍ଷାଳୟରେ ଆସିବାକୁ ଯାଉଛି । ଅନ୍ୟପଟେ ଫିଲ୍ମର ଟ୍ରେଲରକୁ ନେଇ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିବା ଆରମ୍ଭ ହୋଇଛି । ଚଳଚ୍ଚିତ୍ରର କାହାଣୀ ଓ ଭିଏଫଏକ୍ସକୁ ଅଧିକ ପ୍ରଶଂସା କରାଯାଇଛି । କିଛି ଦର୍ଶକ କଳକୀ ୨୮୯୮ଏଡ଼ି କୁ ଡ୍ୟୁନ୍ ଚଳଚିତ୍ର ସହିତ ତୁଳନା ମଧ୍ୟ କରିଛନ୍ତି ।
ତେବେ ଚଳଚିତ୍ରରେ ପ୍ରଭାସଙ୍କ ସହ ଅମିତାଭ ବଚ୍ଚନ, ଦୀପିକା ପାଦୁକୋନ ଓ କମଲ ହାସନ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଟ୍ରେଲର ରିଲିଜ ହେବା ସହିତ ସମସ୍ତ ଚରିତ୍ର ଗୁଡ଼ିକର ରହସ୍ୟ ମଧ୍ୟ ସାମ୍ନାକୁ ଆସିଛି । କମଲ ହାସନ ଓ ଅମିତାଭ ବଚ୍ଚନଙ୍କ ଚରିତ୍ର ସବୁ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ତେବେ ଟ୍ରେଲରଟି ହିନ୍ଦୁ ପୌରାଣିକ କାହାଣୀ ଓ ଆଧୁନିକ ଯୁଗର ସ୍ଥିତିକୁ ନେଇ ନିର୍ମାଣ କରାଯାଇଛି । ଫିଲ୍ମର ନିର୍ମାତା ନାଗ ଅଶ୍ୱିନ କହିଛନ୍ତି ଯେ ଚଳଚିତ୍ରର କାହାଣୀ ମହାଭାରତରୁ ଆରମ୍ଭ ହୋଇ ୨୮୯୮ ଖ୍ରୀଷ୍ଟାବ୍ଦରେ ଶେଷ ହେବ । ତେବେ ଟ୍ରେଲର ଦେଖିଲା ପରେ ଆଶା କରାଯାଉଛି କି ଚଳଚିତ୍ରଟି ଟାଇମ ଟ୍ରାଭେଲ ଉପରେ ଆଧାରିତ । ତେବେ ଚଳଚିତ୍ରର ଟ୍ରେଲର ଆସିବା ପୂର୍ବରୁ ଏକ ସର୍ଟ ମୁଭି ରିଲିଜ ହୋଇଥିଲା । ଏଥିରେ ଆନିମେସନ ଜରିଆରେ ଚଳଚିତ୍ରର ଛୋଟ କାହାଣୀକୁ ପ୍ରକାଶ କରାଯାଇଥିଲା । ଏହି ସର୍ଟ ମୁଭିରେ ପ୍ରଭାସ କିଭଳି ବୁଜି ନାମକ କାରକୁ ତିଆରି କଲେ ତାହା ଦେଖାଯାଇଛି ଏବଂ ଚଳଚିତ୍ରର କାହାଣୀକୁ ସ୍ୱଳ୍ପରେ ବର୍ଣ୍ଣନା କରାଯାଇଛି ।
ତେବେ ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଦର୍ଶକ ପ୍ରତିକ୍ରିୟା ରଖିଛନ୍ତି । କାହାକୁ ଟ୍ରେଲର ପସନ୍ଦ ଆସିଥିବାବେଳେ କାହାକୁ ଟ୍ରେଲର ବୁଝା ପଡୁନାହିଁ । ତେବେ ସିନେ ସମୀକ୍ଷକଙ୍କ ଅନୁସାରେ ଚଳଚିତ୍ରରେ ଅନେକ ଚରିତ୍ର ଥିବାରୁ ଚଳଚିତ୍ରକୁ ବୁଝିବା କଷ୍ଟକର ହୋଇପାରେ । କିନ୍ତୁ ଚଳଚିତ୍ର ନିର୍ମାତା ଏହାକୁ କିଭଳି ପ୍ରଦର୍ଶିତ କରୁଛନ୍ତି ତାହା ବେଶ ଗୁରୁତ୍ୱପୂର୍ଣ୍ଣ ।
ଅଧିକ ପଢନ୍ତୁ : କଲ୍କୀ - ୨୮୯୮ଏଡି'ରେ ଦୀପିକାଙ୍କ ଦମଦାର ପୋଷ୍ଟର