ହଲିଉଡର ପ୍ରସିଦ୍ଧ ପପ୍ ସିଙ୍ଗର୍ ଲିଆମ ଜେମ୍ସ ପେନ୍ଙ୍କ ଅକାଳ ବିୟୋଗ ହୋଇଛି । ଆର୍ଜେଣ୍ଟିନାର ଏକ ହୋଟେଲ ବାଲକୋନୀରୁ ଖସି ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କ ମାତ୍ର ୩୧ ବର୍ଷ ବୟସ ହୋଇଥିଲା । ସେ ଜଣେ ପ୍ରଖ୍ୟାତ କମ୍ପୋଜର ଏବଂ ଗୀଟାର ବାଦକ ଥିଲେ । ଏତେ କମ୍ ବୟସରେ ପେନ୍ଙ୍କ ମୃତ୍ୟୁରେ ସମଗ୍ର ହଲିଉଡ୍ ଜଗତରେ ଶୋକର ଛାୟା ଖେଳି ଯାଇଛି ।
ବ୍ରିଟିଶ ପପ୍ ଗାୟକ ପେନ୍ ଆର୍ଜେଣ୍ଟିନାର ବୁଏନୋସ ଏୟାରସ୍ସ୍ଥିତ କାସାସୁର ପାଲେର୍ମୋ ହୋଟେଲରେ ରହୁଥିଲେ । ଉକ୍ତ ହୋଟେଲର ତୃତୀୟ ମହଲାର ବାଲକୋନୀରୁ ଖସି ପଡ଼ି ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ କହିଛି । ତେବେ କିପରି ଅବସ୍ଥାରେ ସେ ଖସିପଡ଼ିଲେ ତାହା ସ୍ପଷ୍ଟ ହୋଇନାହିଁ ।
କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଲିଆମ୍ ପେନ୍ ମାନସିକ ସ୍ତରରେ ଅଶାନ୍ତ ଥିବା ଜଣାପଡ଼ୁଥିଲା । ମୃତ୍ୟୁ ପୂର୍ବରୁ ହୋଟେଲରେ ରାଗିଯାଇ ନିଜ ଲାପଟପକୁ ତଳେ କଚାଡ଼ି ଭାଙ୍ଗି ଦେଇଥିଲେ । ଏହା ପରେ ସେ ବାଲକୋନୀରୁ ପଡ଼ି ମୃତ୍ୟୁ ବରଣ କରିଥିବା ଜଣାପଡିଥିଲା ।
ଲିଆମଙ୍କ ବିୟୋଗରେ ହଲିଉଡ ସିଙ୍ଗର୍ ଚାର୍ଲି ପଥ୍, ସଙ୍ଗୀତଜ୍ଞ ଜେଡ୍ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ତାଙ୍କର ଏପରି ଆକସ୍ମିକ ମୃତ୍ୟୁ ଖବରକୁ କେହି ସହଜରେ ବିଶ୍ୱାସ କରି ପାରି ନାହାଁନ୍ତି ।