ଚଣ୍ଡିଗଡ଼: ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଶେଷକରି କମ୍ ବୟସ୍କ ଯୁବପୀଢି ହୃଦଘାତର ଶିକାର ହେଉଛନ୍ତି । ଅଧିକାଂଶ ସମୟରେ ଜିମରେ ମଧ୍ୟ ବ୍ୟାୟାମ କରୁଥିବା ସମୟରେ ଅନେକଙ୍କର ହୃଦଘାତରେ ମୃତ୍ୟୁ ହେଉଛି । ଏବେ ଆଉ ଜଣେ ଅଭିନେତା ତଥା ପଞ୍ଜାବର ପ୍ରସିଦ୍ଧ ବଡିବିଲଡର ଭରିନ୍ଦର ସିଂ ଗୁମାନଙ୍କ ହୃଦଘାତରେ ପରଲୋକ ଘଟିଛି । ମାତ୍ର ୪୧ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି ।
ଭରିନ୍ଦରଙ୍କ ମ୍ୟାନେଜରଙ୍କ ସୂଚନା ମୁତାବକ, ଭରିନ୍ଦରଙ୍କ କାନ୍ଧରେ ଯନ୍ତ୍ରଣା ହେଉଥିଲା । ସେ ଅମୃତସରର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଗତକାଲି ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ହୃଦଘାତ ହୋଇଥିଲା ଏବଂ ମେଡ଼ିକାଲରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।
ଭରିନ୍ଦର ଗୁମାନ ମୂଳତଃ ଗୁରୁଦାସପୁରର ହୋଇଥିବାବେଳେ ଜଳନ୍ଦରରେ ରହୁଥିଲେ । ୨୦୦୯ରେ ‘ମିଷ୍ଟର୍ ଇଣ୍ଡିଆ’ର ବିଜେତା ହୋଇଥିଲେ । ମିଷ୍ଟର୍ ଏସିଆ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଗ୍ରହଣ କରିଥିଲେ ।
ଭରିନ୍ଦର ବଡିବିଲ୍ଡିଂ ସହିତ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ୨୦୨୩ରେ ମୁକ୍ତିଲାଭ କରିଥିବା ସଲମାନ ଖାନଙ୍କ ‘ଟାଇଗର୍-୩’ରେ ନଜର ଆସିଥିଲେ । ଏହା ପୂର୍ବରୁ ୨୦୧୪ରେ ‘ରୋର୍-ଟାଇଗରସ୍ ଅଫ୍ ସୁନ୍ଦରବନ୍’ ଏବଂ ୨୦୧୯ରେ ‘ମରଯାବାଁ’ରେ ଅଭିନୟ କରିଛନ୍ତି । ସେହିପରି ୨୦୧୨ରେ ପଞ୍ଜାବୀ ଫିଲ୍ମ ‘କବାଡି ୱାନ୍ସ ଏଗେନ୍’ ରେ ଅଭିନୟ କରିଛନ୍ତି ।
ଗୁମାନଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରୀ ରବନୀତ ସିଂହ ବିଟ୍ଟୁ, ପୂର୍ବତନ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ସୁଖୱୀନ୍ଦର ସିଂହ ରନ୍ଧାୱା ଏବଂ କଂଗ୍ରେସ ବିଧାୟକ ପରଗତ ସିଂହ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି ।