ମୁମ୍ବାଇ: ୱେବ୍ ସିରିଜ୍ ଫ୍ୟାମିଲି ମ୍ୟାନ୍ ସିଜିନ୍ ୩ ରେ ଦମଦାର ଅଭିନୟ କରି ପ୍ରଶଂସା ସାଉଁଟିଥିବା ଅଭିନେତା ରୋହିତ ବସଫୋରଙ୍କର ଦୁଃଖଦ ମୃତ୍ୟୁ ହୋଇଛି । ଆସାମର ଏକ ଝରଣାରେ ପଡ଼ି ତାଙ୍କର ନିଧନ ହୋଇଥିବା ଜଣାପଡ଼ିଛି ।
ଆସାମ ରାନୀ ଥାନା ପୋଲିସର ସୂଚନା ମୁତାବକ, ଗତ ରବିବାର (୨୭ ଏପ୍ରିଲ) ଅପରାହ୍ନ ୨ଟା ବେଳେ ରୋହିତ ତାଙ୍କର ୯ ଜଣ ସାଙ୍ଗଙ୍କ ସହିତ ପିକନିକ୍ କରିବାକୁ ଯାଇଥିଲା । ଝରଣାରେ ଗାଧୋଉଥିବା ସମୟରେ ସେ ଅସାବଧାନତା ବଶତଃ ତଳେ ପଡ଼ି ଯାଇଥିଲେ । ଏ ନେଇ ସାଙ୍ଗମାନେ ୪ଟା ବେଳେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ୩୦ ମିନିଟ୍ ଭିତରେ ଘଟଣା ସ୍ଥଳରେ ପହଁଚି ଥିଲା । ଏସଡିଆରଏଫ୍ ଟିମ ରୋହିତଙ୍କ ମୃତ ଦେହକୁ ପ୍ରାୟ ୬.୩୦ ମିନିଟ୍ ସମୟରେ ଉଦ୍ଧାର କରିଥିଲା । ଏହା ଏକ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ କରିଛି ।
ଅନ୍ୟପକ୍ଷରେ ରୋହିତଙ୍କ ପରିବାର ଲୋକ ତାଙ୍କର ଏପରି ଅଚାନକ ଦେହାନ୍ତକୁ ସହଜରେ ଗ୍ରହଣ କରି ପାରି ନାହାଁନ୍ତି । ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଅଭିଯୋଗ କରିଛି । ଜାଣିଶୁଣି ଏକ ବିପଦପୂର୍ଣ୍ଣ ଜାଗାକୁ ତାଙ୍କୁ ନିଆଯାଇଥିଲା । ମଧ୍ୟାହ୍ନ ୧୨ ଟା ପରଠାରୁ ତାଙ୍କର ଫୋନ୍ ବନ୍ଦ ଥିବା ପରିବାର ଲୋକେ କହିଛନ୍ତି । ପୋଲିସ ମାମଲାର ତଦନ୍ତ ଜାରି ରଖିଛି ।
ରୋହିତଙ୍କ ମୃତ୍ୟୁ ଖବର ପରେ ତାଙ୍କ ପ୍ରଶଂସକଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି । ସେ ଫ୍ୟାମିଲି ମ୍ୟାନ୍-୩ରେ ଅଭିନେତା ମନୋଜ ବାଜପେୟୀ ଓ ଜୟଦୀପ ଅହଲାବାତଙ୍କ ସହିତ କାମ କରିଛନ୍ତି । ଏହି ସିରିଜ୍ ଟି ଆସନ୍ତା ନଭେମ୍ବର ମାସରେ ରିଲିଜ୍ ହେବାକୁ ଯାଉଛି ।