ହ୍ରାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶ ସରକାର ତିନି ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି । ମୁମ୍ବାଇର ଅଭିନେତ୍ରୀ କାଦମ୍ବରୀ ଜେଠୱାନୀଙ୍କ ଅଭିଯୋଗ କ୍ରମେ ଆନ୍ଧ୍ର ମଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ନିଲମ୍ବିତ ହୋଇଥିବା ତିନି ଅଧିକାରୀ ହେଲେ ପୂର୍ବତନ ଗୁଇନ୍ଦା ବିଭାଗ ମୁଖ୍ୟ ପିଏସ୍ଆର୍ ଓଞ୍ଜନେୟୁଲୁ, ପୂର୍ବତନ ବିଜୟାୱାଡା ପୁଲିସ କମିଶନର କ୍ରାନ୍ତି ରାଣା ଟାଟା ଏବଂ ପୂର୍ବତନ ବିଜୟାୱାଡା ଡେପୁଟି କମିଶନର ବିଶାଲ ଗୁନ୍ନୀ ।
ମୁମ୍ବାଇର ଅଭିନେତ୍ରୀ କାଦମ୍ବରୀ ଜେଠୱାନୀ ଗତ ଅଗଷ୍ଟ ମାସରେ ଅଭିଯୋଗ କରିଛନ୍ତି ଯେ ଜଗନ ରେଡ୍ଡୀଙ୍କ ସରକାର ଥିବାବେଳେ ୱାଇଏସଆର ଜଣେ ନେତା ଏବଂ ଜଣେ ଚଳଚ୍ଚିତ୍ର ପ୍ରଯୋଜକ କେ ଭି ବିଦ୍ୟାସାଗର ତାଙ୍କ ବିରୋଧରେ ଜମି ଦୁର୍ନୀତି ନେଇ ମିଥ୍ୟା ଅଭିଯୋଗ କରିଥିଲେ । ଏଥିପାଇଁ ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ପୁଲିସ ଗିରଫ କରି ବିଜୟାୱାଡା ଆଣିଥିଲା । ପରେ ତାଙ୍କୁ କୋର୍ଟ ଜାମିନ ପ୍ରଦାନ କରିଥିଲେ । ତାଙ୍କୁ ଏବଂ ତାଙ୍କ ବାପାଙ୍କୁ ପୋଲିସ ମାନସିକ ନିର୍ୟ୍ୟାତନା ଦେଇଥିଲା ବୋଲି ସେ ସଙ୍ଗୀନ ଅଭିଯୋଗ କରିଛନ୍ତି ।
କାଦମ୍ବରୀଙ୍କ ଅଭିଯୋଗ ଆଧାରରେ ଆନ୍ଧ୍ର ପୁଲିସ ମୁଖ୍ୟ ତଦନ୍ତ କରି ୧୯୯୨, ୨୦୦୪ ଏବଂ ୨୦୧୦ ବ୍ୟାଚର ତିନି ଅଧିକାରୀଙ୍କ ବିରୋଧରେ ନିଲମ୍ବନ ଆଦେଶ ଜାରି କରିଛନ୍ତି । ପୂର୍ବତନ ଗୁଇନ୍ଦା ବିଭାଗ ମୁଖ୍ୟ ପିଏସ୍ଆର୍ ଓଞ୍ଜନେୟୁଲୁ, ପୂର୍ବତନ ବିଜୟାୱାଡା ପୁଲିସ କମିଶନର କ୍ରାନ୍ତି ରାଣା ଟାଟା ଏବଂ ପୂର୍ବତନ ବିଜୟାୱାଡା ଡେପୁଟି କମିଶନର ବିଶାଲ ଗୁନ୍ନୀଙ୍କ ବିରୋଧରେ ଅଲ ଇଣ୍ଡିଆ ସର୍ଭିସେସ୍ ନିୟମ, ୧୯୬୯ର ନିୟମ ୩ (୧) ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ତେବେ ଏହି ମାମଲାରେ ଆହୁରି ଦୁଇ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି । ଆସିଷ୍ଟାଣ୍ଟ କମିଶନର ହନୁମନ୍ଥୁ ରାଓ ଏବଂ ସି ସତ୍ୟନାରାୟଣଙ୍କୁ ପୂର୍ବରୁ ନିଲମ୍ବିତ ହୋଇଛନ୍ତି ।