ମୁମ୍ବାଇ: ଅଜୟ ଦେବଗନଙ୍କ ଫିଲ୍ମ ‘ସିଙ୍ଘମ ଏଗେନ’ ବକ୍ସ ଅଫିସରେ ଦୀପାବଳିରେ ଧମାକା କରିଛି । ରୋହତି ସେଟ୍ଟୀଙ୍କ କପ୍ ୟୁନିଭର୍ସ ଏହି ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଫିଲ୍ମ ପ୍ରଥମ ଦିନରେ ଧୂଆଁଧାର ଓପନିଂ କରି ଅଜୟ ଦେବଗନଙ୍କ ଗତ ସବୁ ଫିଲ୍ମର ରେକର୍ଡ ଭାଙ୍ଗିଛି । ଅଜୟ ଦେବଗନଙ୍କ ପ୍ରଥମ ଦିନରେ ସବୁଠୁ ଅଧିକ ବକ୍ସ ଅଫିସ କଲେକ୍ସନ କରିଥିବା ଫିଲ୍ମ ଥିଲା ସିଂଘମ ରିଟର୍ଣ୍ଣସ । ଏହି ଫିଲ୍ମ ରିଲିଜ ଦିନ ୩୨ କୋଟି ୯ ଲକ୍ଷ ଟଙ୍କାର ବିଜନେଓ କରିଥିଲା । ହେଲେ ସିଂଘମ ଏଗେନ ଏହି ରେକର୍ଡକୁ ଭାଙ୍ଗିଛି ।
ଫିଲ୍ମର ଆୟକୁ ନେଇ ରିପୋର୍ଟ ଜାରି କରୁଥିବା ପ୍ଲାଟଫର୍ମ ସାକନିଲକ ଅନୁଯାୟୀ, ଫିଲ୍ମର ଓପନିଂ ଡେ କଲେକ୍ସନ ୪୩ କୋଟି ୫୦ ଲକ୍ଷ ଟଙ୍କା ରହିଛି । ଅକ୍ଷୟ କୁମାର, ରଣବୀର ସିଂ, ଟାଇଗର ଶ୍ରଫ, ଦୀପିକା ପାଦୁକୋନ, କରୀନା କପୁର ଓ ଜ୍ୟାକି ଶ୍ରଫ ପରି ତାରକାରେ ସଜ୍ଜିତ ଏହି ଫିଲ୍ମର ଆଡଭାନ୍ସ ବୁକିଂରୁ ସ୍ପଷ୍ଟ ହୋଇଥିଲା ଯେ, ଏହା ପ୍ରଥମ ଦିନରେ ଭଲ ବ୍ୟବସାୟ କରିବ ।
ସିଂଘମ ଏଗେନକୁ ଟ୍ରେଡ ବିଶେଷଜ୍ଞ ତରଣ ଆଦର୍ଶ ନିଜ ରିଭ୍ୟୁରେ ମସ୍ତ କହିଥିବା ବେଳେ ୪ ଷ୍ଟାର ରେଟିଂ ଦେଇଛନ୍ତି । ଦର୍ଶକଙ୍କ ପ୍ରତିକ୍ରିୟା ସହ ଫିଲ୍ମକୁ ସିନେ ସମୀକ୍ଷକ ମଧ୍ୟ ପସନ୍ଦ କରିଛନ୍ତି । ରୋହିତ ସେଟ୍ଟୀଙ୍କ ଏହି ଫିଲ୍ମରେ ସଲମାନ ଖାନଙ୍କ କେମିଓ ଫିଲ୍ମକୁ ଭଲ ବ୍ୟବସାୟ ଦେବାରେ ବିଶେଷ ସହାୟକ ହୋଇଛି । ନିର୍ମାତା ଟିଜରରେ ସଲମାନ ଖାନଙ୍କ ଝଲକ ଦେଖାଇ ନ ଥିଲେ ବି ସ୍ପଷ୍ଟ କରି ଦେଇଥିଲେ ଯେ, ଫିଲ୍ମରେ ସଲମାନ ଖାନ ରହିବେ ।