ପୁଣି ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିକୁ ବଡ଼ ଝଟକା। ନିକଟରେ ଫିଲ୍ମ ନିର୍ମାତା କୁମାର ସାହାନିଙ୍କ ମୃତ୍ୟୁ ଖବର ଆସିଥିବା ବେଳେ ପୁଣି ବଲିଉଡ ଜଗତରୁ ଆସିଛି ଆଉ ଏକ ଦୁଃଖଦ ଖବର । ସୋମବାର ମୁମ୍ବାଇସ୍ଥିତ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଜଣାଶୁଣା ଗଜଲ ଗାୟକ ପଙ୍କଜ ଉଧାସ। ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ବୟସ ହୋଇଥିଲା ।ତେବେ ତାଙ୍କ ଦେହାନ୍ତରେ ପରିବାର ଏବଂ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ଅନୁସାରେ, ଜଣାଶୁଣା ଭେଟେରାନ ବଲିଉଡ୍ କଣ୍ଠଶିଳ୍ପୀ ପଙ୍କଜ ଉଧାସ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ତେବେ ୭୨ ବର୍ଷ ବୟସ ରେ ସୋମବାର ସକାଳ ୧୧ଟାରେ ମୁମ୍ବାଇରେ ତାଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ପୂର୍ବରୁ କିଛି ସମୟ ପାଇଁ ତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ସେ ଏହି ଡାକ୍ତରଖାନାରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି। ଆସନ୍ତାକାଲି ମୁମ୍ବାଇରେ ତାଙ୍କର ଶେଷକୃତ୍ୟ କରାଯିବ। ପଙ୍କଜ ଉଧାସଙ୍କ ବିୟୋଗ ନେଇ ତାଙ୍କ ପରିବାର ଲୋକେ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି ।
ପଙ୍କଜଙ୍କ ବିୟୋଗରେ ସେଲିବ୍ରିଟି ସମେତ ଫ୍ୟାନ୍ସ ତଥା ପ୍ରମୁଖ ବ୍ୟକ୍ତି ମାନେ ଦୁଃଖ ପ୍ରକାଶ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
୧୯୮୦ରେ କ୍ୟାରିୟର ଆରମ୍ଭ କରିଥିଲେ ପଙ୍କଜ। ବଲିଉଡ ଇଣ୍ଡଷ୍ଟ୍ରିରେ ସେ ପ୍ଲେ-ବ୍ୟାକ୍ ସିଙ୍ଗର ଭାବେ 'ତୁ ହସିନ୍ ମେ ଯବାଁ' ଫିଲ୍ମରୁ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ସେ କିଶୋର କୁମାର ସହ ଗୀତ ଗାଇଥିଲେ। ତେବେ 'ନାମ୍’ ଫିଲ୍ମର ‘ଚିଠି ଆଇ ହେ’ ଗୀତରୁ ତାଙ୍କୁ ଲୋକପ୍ରିୟତା ମିଳିଥିଲା। ସେ ନିଜ କ୍ୟାରିୟର୍ରେ ୫୦ରୁ ଅଧିକ ଆଲବମ୍ ଗୀତ ଗାଇଛନ୍ତି। ସଂଗୀତ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ୨୦୦୬ରେ ପଙ୍କଜଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।
ଅଧିକ ପଢନ୍ତୁ: ପ୍ରଥମ ସପ୍ତାହରେ ‘ଆର୍ଟିକିଲ ୩୭୦’ର ବକ୍ସ ଅଫିସ ଆୟ ୨୫କୋଟି