ନୂଆଦିଲ୍ଲୀ, ମେ ୦୯ (ଖବର ଓଡ଼ିଶା): ମଦର୍ସ ଡେ’ ସବୁ ମା’ମାନଙ୍କ ପାଇଁ ସ୍ୱତନ୍ତ୍ର । ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପଇଁ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା । ନିଜର ଝିଅ ମାଲତୀ ମେରୀ ଚୋପ୍ରାଙ୍କୁ ପ୍ରଥମ ଦିନ ସେ ଧରିଛନ୍ତି । ୨୦୨୨ ମେ’ ୮ ତାରିଖ ଦିନ ସମଗ୍ର ବିଶ୍ୱରେ ମଦର୍ସ ଡେ’ ପାଳନ କରାଯାଇଛି । ଏହି ଅବସରରେ ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନ୍ସ ନିଜ ଝିଅର ପ୍ରଥମ ଫଟୋ ସେୟାର କରିଛନ୍ତି ।
ନିକ ଓ ପ୍ରିୟଙ୍କା କହିଛନ୍ତି ଯେ, ୧୦୦ରୁ ଅଧିକ ଦିନ ହସ୍ପିଟାଲରେ ରହିବା ପରେ ତାଙ୍କର ଝିଅ ଘରକୁ ଆସିଛି । ଏହା ପୁଣି ପ୍ରଥମ ଥର ହୋଇଥିବାରୁ ତାଙ୍କ ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ । ଭାଇରାଲ ହୋଇଥିବା ଫଟୋରୁ ଜଣାପଡୁଛି ଯେ, ପ୍ରିୟଙ୍କା ଝିଅ ମାଲତୀ ମେରୀକୁ କୁଣ୍ଡେଇ ଧରିଛନ୍ତି । ସେମାନେ କହିଛନ୍ତି ଯେ, ଏନ୍ଆଇସିୟୁରେ ୧୦୦ରୁ ଅଧିକ ଦିନ ବିତାଇବା ପରେ ଆମର ନବଜାତ କନ୍ୟା ପ୍ରଥମ ଥର ପାଇଁ ଘରକୁ ଆସିଛି ।
ନିକ୍ କହିଛନ୍ତି, ପ୍ରତ୍ୟେକ ପରିବାର ଲୋକଙ୍କର ଯାତ୍ରା ଭିନ୍ନ ହୋଇଥାଏ । ଏଥିରେ ବିଶ୍ୱାସର ଆବଶ୍ୟକତା ପଡ଼ିଥାଏ । ଆମର ବିଗତ ଦିନଗୁଡ଼ିକ ଚ୍ୟାଲେଞ୍ଜ ଥିଲା । କିନ୍ତୁ ଏବେ ଜାଣିବାକୁ ମିଳୁଛି ଯେ, ଏହାର ମୂଲ୍ୟ ମିଳିଯାଇଛି । ଆମେ ବହୁତ ଖୁସି ଅନୁଭବ କରୁଛୁ । ଆମର ଶିଶୁକନ୍ୟା ଘରକୁ ଆସିଛି । ଆମେ ଲସ୍ ଏଞ୍ଜେଲେସର ରାଡି ଚିଲଡ୍ରେନ୍ ଲା ଜୋଲା ଓ କେଡାର ସିନାଇ ହସ୍ପିଟାଲର ସମସ୍ତ ଡାକ୍ତର, ନର୍ସ ଓ ବିଶେଷଜ୍ଞଙ୍କୁ ଧନ୍ୟବାଦ ଜଣାଇବୁ । ସେମାନେ ନିଃସ୍ୱାର୍ଥ ମନୋଭାବ ନେଇ ଆମକୁ ସହଯୋଗ କରିଛନ୍ତି । ଆମ ଜୀବନର ନୂଆ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ସୂଚନାଯୋଗ୍ୟ ଗତ ଜାନୁଆରୀରେ ପ୍ରିୟଙ୍କା ଚୋପ୍ରା ଓ ନିକ ସେମାନଙ୍କର ଝିଅ ହୋଇଥିବା ନେଇ ଘୋଷଣା କରିଥିଲେ ।