ନୂଆଦିଲ୍ଲୀ: ‘ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପ’ର ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା-୨’କୁ ନେଇ ଅଡୁଆ ଆରମ୍ଭ ହୋଇଛି । ନିକଟରେ ଏହି ଚଳଚ୍ଚିତ୍ରର ପ୍ରଥମ ଗୀତ ରିଲିଜ ହୋଇଛି, ଯାହା କି ଲୋକଙ୍କର ହୃଦୟ ଜିତିଛି । ଏହି ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚାରେ ଥିବା ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ନେଇ ଏବେ ଏକ ଖବର ସାମ୍ନାକୁ ଆସିଛି । ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ଆନ୍ଧ୍ରପ୍ରଦେଶର ଏକ ପୁଲିସ ଥାନାରେ ମାମଲା ରୁଜୁ ହୋଇଛି ।
ଆନ୍ଧ୍ରପ୍ରଦେଶରେ ଆସନ୍ତାକାଲି (ସୋମବାର) ୨୫ ଲୋକସଭା ସହିତ ୧୭୫ ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟ୍ ଗ୍ରହଣ କରାଯିବ । ନାଂଘାଲି ଆସନରେ ଅଲ୍ଲୁ ଅର୍ଜୁନଙ୍କ ବନ୍ଧୁ ଓ ୱାଇଏସ୍ଆରସିପି ବିଧାୟକ ଶିଳ୍ପା ରବିଚନ୍ଦ୍ର କିଶୋର ରେଡ୍ଡୀ ପ୍ରାର୍ଥୀ ଅଛନ୍ତି । ତାଙ୍କର ନିର୍ବାଚନ ପ୍ରଚାରର ଅନ୍ତିମ ଦିନରେ ଅଭିନେତା ନିଜର ବନ୍ଧୁଙ୍କୁ ସମର୍ଥନ ଦେବାକୁ ପହଞ୍ଚି ଥିଲେ । କିନ୍ତୁ ତାଙ୍କର ଆସିବାରୁ ବିଧାୟକ ପ୍ରାର୍ଥୀଙ୍କ ଘର ଆଗରେ ବହୁ ପ୍ରଶଂସକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।
ଲୋକଙ୍କର ଭିଡ଼ ଏତେ ଥିଲା ଯେ, ତାହା ନିୟନ୍ତ୍ରଣ ବାହାରେ ଥିଲା । ନିର୍ବାଚନ କାରଣରୁ ଏବେ ଦେଶରେ ଆଚରଣ ବିଧି ଲାଗୁ ହୋଇଛି । ବିଧାୟକଙ୍କ ଘରେ ଅଭିନେତା ଥିବା ନେଇ ସୂଚନା ମିଳିବା ପରେ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି । ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ କରିଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅଲ୍ଲୁ ଅର୍ଜୁନ ବିଧାୟକଙ୍କ ଘର ବାହାରେ ପ୍ରଶଂସକଙ୍କୁ ନିଜର ଝଲକ ଦେବାକୁ ପହଞ୍ଚି ଥିଲେ ।