ଆଜି ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ। ଉପନିର୍ବାଚନ ପାଇଁ କମ୍ପୁଛି ନୂଆପଡ଼ା। ୩ ପ୍ରମୁଖ ଦଳ ପ୍ରାଚାରକୁ ଜୋରଦାର କରିଛନ୍ତି। ଏବେ ପ୍ରଚାର ମୈଦାନ ଓହ୍ଲାଇଛନ୍ତି ବିଜୁ ଜନତା ଦଳ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ। ଗତକାଲି ନୂଆପଡା ଟାନୱାଟ ଗାଁର ଅଧିଷ୍ଠାତ୍ରୀ ଦେବି କଣାଭଇରା ମା'ଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି BJDର ପୁରୁଖା ଗାଁ ନେତା ମୁଖିଆଙ୍କ ସହିତ ଜନସମ୍ପର୍କ ଆରମ୍ଭ କରିଛନ୍ତି। ଏହାରିଭିତରେ ଗତ ୧୮ ତାରିଖରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଏବଂ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଉପ ଜିଲ୍ଲାପାଳଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି। ଆଜି ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନିଜର ନାମାଙ୍କନ ପତ୍ର ଦାଖଲ କରିବେ।
ଗତକାଲି ବିଜେଡି ନୂଆପଡାଠାରେ ନିଜର ଶକ୍ତି ପ୍ରଦର୍ଶନ କରି ବିରାଟ ଶୋଭାଯାତ୍ରା ଅୟୋଜନ କରିଥିଲା। ବିଜେଡିର ବହୁ ତୁଙ୍ଗନେତାମାନେ ସାମିଲ ହୋଇ ବିଜେଡି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ପାଇଁ ଭୋଟଭିକ୍ଷା କରିଥିଲେ। ଆଜି ପୂର୍ବାହ୍ନ ୧୧ଟା ରେ ବିଜେଡ଼ି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ପ୍ରଥମେ ନୂଆପଡ଼ା ତେଲିପଡ଼ା ସ୍ଥିତ ଶିବ ମନ୍ଦିରରେ ପୂଜା ଅର୍ଚ୍ଚନା କରିବା ସହ ଦେବ ଦର୍ଶନ କରି ଆଶୀର୍ବାଦ ନେବେ। ଏହାପରେ ସେଠାରୁ ସେ ନିଜର ସମର୍ଥକଙ୍କ ଗହଣରେ ନୂଆପଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏହି ଅବସରରେ ବିଜେଡିର ଶୀର୍ଷ ନେତୃବୃନ୍ଦଙ୍କ ସମେତ ବରିଷ୍ଠ ନେତା ଓ ବିଧାୟକମାନେ ଉପସ୍ଥିତ ରହିବେ।