ରାଜ୍ୟସଭା ନିର୍ଵାଚନ ପାଇଁ ବିଜେଡି ଦୁଇଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । କଟକ-ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀର ଯୁବ ବିଜେଡି ନେତା ସୁଭାଶିଷ ଖୁଣ୍ଟିଆ ଏଥର ରାଜ୍ୟସଭା ଯିବେ । ଏ ନେଇ ବିଧିବଦ୍ଧ ପ୍ରାର୍ଥୀ ଘୋଷଣା କରିଛି ବିଜେଡି ।
ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦୁଇ ପ୍ରାର୍ଥୀ ବିଧାନସଭାରେ ନାମାଙ୍କନ ପତ୍ର ଦାଖଲ କରିବେ । ଦୁଇଜଣଙ୍କ ନାମ ଘୋଷଣା ପରେ ତୃତୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେଣୁ ରାଜ୍ୟସଭା ଦୌଡରେ ଆଦୌ ଚର୍ଚ୍ଚାରେ ନଥିବା ନେତାଙ୍କୁ ତୃତୀୟ ପ୍ରାର୍ଥୀ କରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ଆସନ୍ତା ଫେବୃଆରୀ ୨୭ରେ ହେବ ରାଜ୍ୟସଭା ନିର୍ବାଚନ । ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଫେବୃଆରୀ ୧୫ରେ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି । ଫେବୃଆରୀ୧୬ରେ ପ୍ରାର୍ଥିପତ୍ର ଯାଞ୍ଚ , ୨୦ରେ ପ୍ରାର୍ଥୀ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ ।
ସୂଚନା ଯୋଗ୍ୟ ଏପ୍ରିଲ ୩ ତାରିଖରେ ସରୁଛି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟକାଳ । ଏମାନଙ୍କ ସ୍ଥାନରେ ଆଉ ୩ ଜଣ ସଦସ୍ୟ ଯିବେ ରାଜ୍ୟସଭା । ତେବେ ସଂଖ୍ୟା ଦୃଷ୍ଟିରୁ ତିନିଟି ଯାକ ଆସନ ବିଜେଡିକୁ ଯିବା ଏକ ପ୍ରକାର ନିଶ୍ଚିତ ବୋଲି ଜଣାପଡିଛି ।
ଅଧିକ ପଢନ୍ତୁ :- ଆଜି ଓଡ଼ିଶା ଆସୁଛନ୍ତି ଶିବରାଜ ସିଂ ଚୌହାନ