ଭୋଟ୍ ଦେଉଛି ଝାରସୁଗୁଡ଼ା। ଝାରସୁଗୁଡ଼ା ଉପନିର୍ବାଚନ ଲାଗି ସକାଳ ୭ରୁ ଆରମ୍ଭ ହୋଇଛି ମତଦାନ। ୪ଟି ବ୍ଲକ ଓ ଗୋଟିଏ ପୌରପରିଷଦରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ମତଦାନ ସାବ୍ୟସ୍ତ କରୁଛନ୍ତି ୨ଲକ୍ଷ ୨୧ ହଜାର ୭୦ ଜଣ ଭୋଟର। ୧ ଲକ୍ଷ ୧୦ ହଜାର ୩୨୦ ପୁରୁଷ ଭୋଟର ରହିଥିବାବେଳେ ମହିଳା ଭୋଟର ଅଛନ୍ତି ୧ ଲକ୍ଷ ୧୦ ହଜାର ୬୮୭ ଏବଂ ୬୩ ଜଣ ଟ୍ରାନସଜେଣ୍ଡର ଭୋଟର ଅଛନ୍ତି।
ଝାରସୁଗୁଡ଼ା ଉପନିର୍ବାଚନ ମୈଦାନରେ ଏଥର ୯ ଜଣ ପ୍ରାର୍ଥୀ ଥିବା ବେଳେ ଲଢ଼େଇ ମୁଖ୍ୟତଃ ତ୍ରିମୁଖୀ। ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଏବଂ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ। ମୋଟ୍ ୨୫୩ ବୁଥରେ କଡ଼ା ସୁରକ୍ଷା ମଧ୍ୟରେ ସଂଧ୍ୟା ୬ଟା ଯାଏ ଚାଲିବ ମତଦାନ। ମୋଟ ୨୫୩ଟି ବୁଥରୁ ଅଧିକାଂଶ ୨୨୭ଟି ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ । ଆଉ ୨୬ଟି ବୁଥକୁ ପିଙ୍କ୍ ବୁ୍ଥ କରାଯାଇଛି । ପ୍ରତ୍ୟେକ ବୁଥରେ ୪ଜଣ ପୁଲିଂ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ୨୪ଟି ଟିମକୁ ରିଜର୍ଭ ରଖାଯାଇଛି। ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ସବୁ ବୁଥରେ ସିସିଟିଭି ଲଗାଯାଇଛି l ଖରା ବଢୁଥିବାରୁ ସ୍କ୍ୱାସ୍, ପାଣି, ସରବତ, ତରଭୁଜ ବ୍ୟବସ୍ଥା କରାଯାଇଛି । ବୁଥକୁ ଆସିବାକୁ ସକ୍ଷମ ନଥିବା ବରିଷ୍ଠ ନାଗରିକଙ୍କ ପାଇଁ ଘରୁ ପୋଷ୍ଟାଲ ବ୍ୟାଲଟ୍ ଯୋଗେ ଭୋଟ୍ ଗ୍ରହଣ ହୋଇଛି । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ହ୍ୱିଲ ଚେୟାରର ବ୍ୟବସ୍ଥା କରାଯାଇଛି । ତେବେ ଉପନିର୍ବାଚନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୬ କମ୍ପାନୀ କେନ୍ଦ୍ରୀୟ ଅର୍ଦ୍ଧ- ସାମରିକ ବାହିନୀ ସହ ଓଡ଼ିଶା ପୋଲିସର ୧୯ ପ୍ଳାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ୨୫ଟି ମୋବାଇଲ ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଛି । ନିୟୋଜିତ ବିଭିନ୍ନ ଗାଡ଼ିରେ ଜିପିଏସ୍ ଲଗାଯାଇଛି । କିଛି ଅଘଟଣ ଘଟିଲେ ୧୦-୧୫ ମିନିଟରେ ପୋଲିସ ପହଞ୍ଚିବ । ଜିଲ୍ଲାର ସବୁ ସୀମାକୁ ସିଲ୍ କରି ୧୭ଟି ସ୍ଥାନରେ କରାଯାଉଛି ଯାଞ୍ଚ ।