ଆସନ୍ତାକାଲି ବାହାରିବ ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ । ଝାରସୁଗୁଡ଼ା ଉପବନିର୍ବାଚନ ପାଇଁ ମତଦାନ ଶେଷ ହେବା ପରେ ଷ୍ଟ୍ରଙ୍ଗ ରୁମରେ କଡ଼ା ସୁରକ୍ଷା ଭିତରେ ଇଭିଏମ ଏବଂ ଭିଭିପାଟ ମେସିନକୁ ରଖାଯାଇଛି । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି। ଏବେ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ଷ୍ଟ୍ରଙ୍ଗ ରୁମରେ କଡ଼ା ସୁରକ୍ଷାବଳୟ ଭିତରେ ଇଭିଏମକୁ ରଖାଯାଇଛି। ସୁରକ୍ଷା ବ୍ୟବସ୍ଥା ପାଇଁ ଷ୍ଟ୍ରଙ୍ଗରୁମରେ ସିସିଟିଭି ବ୍ୟବସ୍ଥା କରାଯାଇଥିବା ଝାରସୁଗୁଡା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।
କୌଣସି ପରିସ୍ଥିତିରେ ବିନା ଅନୁମତିରେ କେହି ବି ଭିତରକୁ ଯାଇ ପାରିବେ ନାହିଁ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । ଭୋଟ ଗଣତି ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଆଜି ଦାୟିତ୍ୱ ପ୍ରଦାନ କରାଯାଇଛି । ଆସନ୍ତାକାଲି ସକାଳ ୮ଟାରେ ପୋଷ୍ଟାଲ ବାଲାଟ୍ ଗଣତି କାର୍ଯ୍ୟ ହେବ। ପରେ ସାଢ଼େ ୮ଟାରୁ ଇଭିଏମ୍ ମେସିନ୍ ଭୋଟ୍ ଗଣତି କାର୍ଯ୍ୟ ଆରମ୍ଭ ହେବ।। ମୋଟ ୧୪ଟି ଟେବୁଲରେ ୧୮ ରାଉଣ୍ଡ ପର୍ଯ୍ୟନ୍ତ ଭୋଟ ଗଣତି କରାଯିବା ବୋଲି ରିଟର୍ଣ୍ଣିଂ ଅଫିସର ତଥା ଉପଜିଳ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ ସୂଚନା ଦେଇଛନ୍ତି । ମେ’ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନ ହୋଇଥିଲା। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା । ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଥିଲା। ପୁରୁଷ ଭୋଟରଙ୍କ ତୁଳନାରେ ମହିଳାମାନେ ଅଧିକ ସଂଖ୍ୟାରେ ଭୋଟ୍ ଦେଇଥିଲେ।