ଭୁବନେଶ୍ୱର: ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାଙ୍କନରେ ପରିବର୍ତ୍ତନ କରାଯିବ । ଜାତୀୟ ଶିକ୍ଷା ପଦ୍ଧତି ଅନୁଯାୟୀ ଯୁକ୍ତ ଦୁଇ ପରୀକ୍ଷାର୍ଥୀ ୮୦ ମାର୍କର ଥିଓରୀ ଓ ୨୦ ମାର୍କର ଆସେସମେଣ୍ଟ ପରୀକ୍ଷା ଦେବେ । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ଦେଇଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା ।
ଶ୍ରୀଯୁକ୍ତ ପରିଡ଼ାଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ ଜାତୀୟ ଶିକ୍ଷା ପଦ୍ଧତି ଅନୁସାରେ ଯୁକ୍ତ୨ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ଥର ପାଇଁ ବୋର୍ଡ ପରୀକ୍ଷାରେ ଆସେସମେଣ୍ଟ ପରୀକ୍ଷା ହେବ । ୧୦୦ ମାର୍କରୁ ୮୦ ମାର୍କର ଥିଓରୀ ଓ ୨୦ ମାର୍କର ଆସେସମେଣ୍ଟ ପରୀକ୍ଷା । ୧୦୦ ନମ୍ବର ରୁ ୨୪ ନମ୍ବର ରଖିଲେ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ।
ପିଲାଙ୍କୁ ବୋର୍ଡ ପରୀକ୍ଷା ଚାପ କମାଇବା ଓ ଭଲ ନମ୍ବର ସ୍କୋର୍ କରିବା ପାଇଁ ନ୍ୟାସନାଲ ଢାଞ୍ଚାରେ ପରୀକ୍ଷା କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ମାର୍କିଂ ଢାଞ୍ଚା ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ପିଲାମାନେ ବୋର୍ଡରେ ଭଲ ନମ୍ବର ରଖି ପାରୁନଥିଲେ । ଏଣୁ ପିଲାଙ୍କ ସୁବିଧା ପାଇଁ ନୂଆ ଢାଞ୍ଚାରେ ଚଳିତ ଥର ମାର୍କ ଦିଆଯିବ ବୋଲି ସୂଚନା ଦେଇଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ।