ନୂଆଦିଲ୍ଲୀ: ବିବାଦୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ-ୟୁଜି-୨୦୨୪ ସହିତ ଜଡ଼ିତ ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ୪୦ରୁ ଅଧିକ ଆବେଦନ ଉପରେ ଶୁଣାଣି କରିଛନ୍ତି । ନିଟ୍-ୟୁଜି ପରୀକ୍ଷାରେ ପରୀକ୍ଷାର୍ଥୀ ପାଇଥିବା ନମ୍ବରକୁ ରାଷ୍ଟ୍ରୀୟ ପରୀକ୍ଷା ସଂସ୍ଥା (ଏନଟିଏ) ନିଜ ୱେବ୍ ସାଇଟ୍ ରେ ପ୍ରକାଶ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଛାତ୍ରଛାତ୍ରୀଙ୍କ ପରିଚୟକୁ ଗୋପନୀୟ ରଖିବାକୁ ଖଣ୍ଡପୀଠ କହିଛନ୍ତି । ପରୀକ୍ଷା ଫଳାଫଳକୁ ସହର ଏବଂ କେନ୍ଦ୍ର ହିସାବରେ ପ୍ରକାଶ କରିବାକୁ କହିଛନ୍ତି ।
ନିଟ୍ ପରୀକ୍ଷାରେ ଅନିୟମିତା ନେଇ ୪୦ରୁ ଅଧିକ ଯାଚିକା ଉପରେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼, ବିଚାରପତି ଜେ ବି ପାରଦୀୱାଲା ଓ ବିଚାରପତି ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଛନ୍ତି । ଆବେଦନର ଶୁଣାଣି କରି ଖଣ୍ଡପୀଠ କହିଛନ୍ତି ଯେ ଆସନ୍ତା ଶନିବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ପରୀକ୍ଷାର୍ଥୀ ପାଇଥିବା ନମ୍ବରକୁ ଏନଟିଏ ନିଜ ୱେବ୍ ସାଇଟ୍ ରେ ପ୍ରକାଶ କରିବ ଏବଂ ଛାତ୍ରଛାତ୍ରୀଙ୍କ ପରିଚୟକୁ ଗୋପନୀୟ ରଖିବ । ପରୀକ୍ଷା ଫଳାଫଳକୁ ସହର ଏବଂ କେନ୍ଦ୍ର ହିସାବରେ ପ୍ରକାଶ କରିବାକୁ ଖଣ୍ଡପୀଠ କହିଛନ୍ତି । ଏହା ସହ ସୁପ୍ରିମକୋର୍ଟ ପେପର ଲିକ୍ ଓ କଦାଚାରକୁ ନେଇ ହୋଇଥିବା ଆବେଦନର ଶୁଣାଣିକୁ ଜୁଲାଇ ୨୨କୁ ଘୁଞ୍ଚାଇ ଦେଇଛନ୍ତି ।
ଏହା ସହିତ ପ୍ରାର୍ଥୀଙ୍କ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ଉପରେ କୋର୍ଟ ଏନଟିଏକୁ ଜବାବ ମାଗିଛନ୍ତି । ସୁପ୍ରିମକୋର୍ଟ ଏନଟିଏକୁ ପଚାରିଛନ୍ତି, ୨୩.୩୩ ଲକ୍ଷ ଛାତ୍ରଙ୍କ ମଧ୍ୟରୁ କେତେଜଣ ସେମାନଙ୍କ ପରୀକ୍ଷା କେନ୍ଦ୍ର ବଦଳାଇଛନ୍ତି ? ଏହା ଉପରେ ଏନଟିଏ ଉତ୍ତର ଦେଇଛି ଯେ ସଂଶୋଧନ ନାମରେ ଛାତ୍ରମାନେ କେନ୍ଦ୍ର ପରିବର୍ତ୍ତନ କରିଛନ୍ତି । ୧୫,୦୦୦ ଛାତ୍ର ସଂଶୋଧନ ୱିଣ୍ଡୋ ବ୍ୟବହାର କରିଥିଲେ । ତେବେ ଏନଟିଏ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଛାତ୍ରମାନେ କେବଳ ସହରକୁ ପରିବର୍ତ୍ତନ କରିପାରିବେ ଏବଂ କୌଣସି ପ୍ରାର୍ଥୀ କେନ୍ଦ୍ର ଚୟନ କରିପାରିବେ ନାହିଁ । ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ କେନ୍ଦ୍ର ଚୟନ କରାଯାଇଛି । ପରୀକ୍ଷା ଆବଣ୍ଟନର ମାତ୍ର ଦୁଇ ଦିନ ପୂର୍ବରୁ କେନ୍ଦ୍ର ବଣ୍ଟନ ହୁଏ, ତେଣୁ ସେମାନେ କେଉଁ କେନ୍ଦ୍ର ପାଇବେ ତାହା କେହି ଜାଣନ୍ତି ନାହିଁ ।
ସୂଚନାଯୋଗ୍ୟ, ଗତ ମେ’ ମାସ ୫ ତାରିଖରେ ୫୭୧ଟି ସହରର ୪୭୫୦ଟି କେନ୍ଦ୍ରରେ ୨୩.୩୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ନିଟ-ୟୁଜି ପରୀକ୍ଷା-୨୦୨୪ ଦେଇଥିଲେ। ଏଥିରେ ୧୪ଟି ବିଦେଶୀ ସହର ମଧ୍ୟ ସାମିଲ ଥିଲା। କେନ୍ଦ୍ର ଓ ଏନଟିଏ ସୁପ୍ରିମକୋର୍ଟରେ ଆବେଦନ ନିଜର ସତ୍ୟପାଠରେ କହିଥିଲେ ଯେ, ପରୀକ୍ଷା ରଦ୍ଦ କରିବା ଠିକ ହେବ ନାହିଁ ଏବଂ ବ୍ୟାପକ ଗୋପନୀୟତାର ଉଲ୍ଲଂଘନର କୌଣସି ବି ପ୍ରମାଣର ଅଭାବରେ ଲକ୍ଷାଧିକ ସଚ୍ଚୋର୍ଟ ପ୍ରାର୍ଥୀଙ୍କୁ ଗୁରୁତର ଭାବେ ବିପଦଆଡ଼କୁ ନେଇଯିବ।