ଭୁବନେଶ୍ୱର: ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଲାଗୁ ହେଲା ପାସ୍ ଫେଲ୍ ବ୍ୟବସ୍ଥା। ଫେଲ୍ ହେଲେ ଆଉ ଥରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ତଥା ସଂସ୍କାର ଆଣିବା ପାଇଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ରାଜ୍ୟର ମୋହନ ମାଝୀ ସରକାର । ଏବେ ପୁଣି ପାସ୍ ଓ ଫେଲ୍ ବ୍ୟବସ୍ଥାକୁ ନେଇ ନୂଆ ନିୟମ ଲାଗୁ କରାଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରତିବର୍ଷ ପରି ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ। ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେଉଥିବା ଛାତ୍ରଛାତ୍ରୀଙ୍କୁ ପୁନଃ ପରୀକ୍ଷା ପାଇଁ ସୁଯୋଗ ଦିଆଯିବ।
ପରୀକ୍ଷାଫଳ ପ୍ରକାଶ ପାଇବାର ଦୁଇମାସ ମଧ୍ୟରେ ପରୀକ୍ଷା ହେବ। ଦ୍ଵିତୀୟ ପରୀକ୍ଷାରେ ମଧ୍ୟ ପାସ୍ କରି ନ ପାରିଲେ ସେମାନଙ୍କୁ ପୁନଃ ସେହି ଶ୍ରେଣୀରେ ପଢ଼ିବାକୁ ହେବ। ହେଲେ ପ୍ରାଥମିକ ଶିକ୍ଷା ପୂର୍ବରୁ କୌଣସି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରୁ ବାହାର କରାଯିବ ନାହିଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଓଡ଼ିଶା ସରକାରଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ, ୨୦୧୦ ରେ ସଂଶୋଧନ କରାଯାଇ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର (ସଂଶୋଧନ) ଅଧିନିୟମ, ୨୦୨୫ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି । ନୂତନ ସଂଶୋଧନ ଅନୁଯାୟୀ ପ୍ରତ୍ୟେକ ଶିକ୍ଷାବର୍ଷ ଶେଷରେ ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଶୃଙ୍ଖଳିତ ପରୀକ୍ଷା ବ୍ୟବସ୍ଥା ପ୍ରଚଳନ କରାଯିବ । ଏହି ପଦକ୍ଷେପ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଅଧିକ ସକ୍ଷମ କରିବାକୁ ଚେଷ୍ଟା କରାଯିବ । ପରବର୍ତ୍ତୀ ଶ୍ରେଣୀକୁ ଯିବା ପୂର୍ବରୁ ଛାତ୍ରଟିଏ ଯେପରି ତାହାର ମୌଳିକ ଶିକ୍ଷାସ୍ତର ହାସିଲ୍ କରିପାରିବ ସେ ନେଇ ପ୍ରୟାସ କରାଯାଇଛି । ସଂଶୋଧନ ମାଧ୍ୟମରେ ସ୍ପଷ୍ଟ କରାଯାଇଛି ଯେ ପ୍ରାଥମିକ ଶିକ୍ଷା ସମାପ୍ତ ନହେବା ପର୍ଯ୍ୟନ୍ତ କୌଣସି ପିଲାଙ୍କୁ ବିଦ୍ୟାଳୟରୁ ବହିଷ୍କାର କରାଯିବ ନାହିଁ ।
ଏହି ସଂଶୋଧନ ଶିଶୁଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ, ୨୦୦୯ ର ଧାରା ୩୮ ସହିତ ସମନ୍ୱିତ । ଏହା ଓଡ଼ିଶା ଗେଜେଟରେ ପ୍ରକାଶିତ ହେବା ପରେ କାର୍ଯ୍ୟକାରୀ ହେବ । ଏହି ପରିବର୍ତ୍ତନ ଶିକ୍ଷାଗତ ମାନ ବୃଦ୍ଧି କରିବା ସହ କୌଣସି ଶିଶୁ ଯେପରି ଶିକ୍ଷା ଅଧିକାରରୁ ବଞ୍ଚିତ ନହେବ ସେ ନେଇ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବ ।