କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଆଜିର ସମୟରେ ଓଡ଼ିଶା ଏବଂ ବିକଶିତ ଭାରତର ସ୍ୱପ୍ନକୁ ପୂରଣ କରିବା ପାଇଁ ମୂଳ ମନ୍ତ୍ର ହେଉଛି ସ୍କିଲ, ସ୍କେଲ୍ ଏବଂ ସ୍ପିଡ୍ । ପ୍ରଥମେ ସ୍କିଲଡ୍ ବା ଦକ୍ଷ ହେବା, ପରେ ତାହାକୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରକୁ ସ୍କେଲ୍-ଅପ୍ କରିବା ବା ଆଗକୁ ବଢିବା ଏବଂ ଶେଷରେ ତାକୁ ସ୍ପିଡ୍-ଅପ୍ କରିବା ତଥା ତ୍ୱରାନ୍ୱିତ କରାଇବା । ଏହି ଥ୍ରୀ-ଏସ୍ ଦ୍ୱାରା ହିଁ କୋରାପୁଟ ବିକଶିତ ହେବ । କୋରାପୁଟ ଜିଲ୍ଲା ବିକଶିତ ହେଲେ ଓଡ଼ିଶା ବିକଶିତ ହେବ ଏବଂ ଓଡ଼ିଶା ବିକଶିତ ହେଲେ ଭାରତ ବିକଶିତ ହେବ । ଏ ଦିଗରେ ଛାତ୍ରଛାତ୍ରୀମାନେ ବ୍ରତୀ ହେବେ ବୋଲି ଶ୍ରୀ ପ୍ରଧାନ ନିଜ ବକ୍ତବ୍ୟରେ କରିଛନ୍ତି ।
ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ‘୧୫ତମ ପ୍ରତିଷ୍ଠା ଦିବସ’ର ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଯେତେବେଳେ ଚନ୍ଦ୍ରାୟାନ-୩ ଅଭିଯାନର ସଫଳତାକୁ ନେଇ ସାରା ଦେଶ ଉତ୍ସବ ମନାଉଛି, ସେଭଳି ଏକ ସମୟରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନିଜର ପ୍ରତିଷ୍ଠା ଦିବସ ପାଳନ କରିବା ଏକ ଖୁସିର ବିଷୟ । ଚନ୍ଦ୍ରାୟାନ- ୩ର ସଫଳତା ଦେଶବାସୀଙ୍କ ସାମୂହିକ ପ୍ରାର୍ଥନା ଏବଂ ଆମ ରାଜ୍ୟ ଓଡ଼ିଶା ସମେତ ସମଗ୍ର ଭାରତବର୍ଷର ବୈଜ୍ଞାନିକଙ୍କ ପରିଶ୍ରମ କାରଣରୁ ସମ୍ଭବ ହୋଇପାରିଛି । ଅପାର ସମ୍ଭାବନାର ଅଞ୍ଚଳ ହେଉଛି ଅବିଭକ୍ତ କୋରାପୁଟ ମୋ ପାଇଁ ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ର । ମୁଁ ଯେତେବେଳେ ବି କୋରାପୁଟ ଯାଏ, ଲୋକମାନଙ୍କ ଭଲ ପାଇବା ଏବଂ ଆତିଥେୟତା ମୋତେ ଖୁବ ପ୍ରଭାବିତ କରେ । କୋରାପୁଟର ସମୃଦ୍ଧ ଲୋକକଳା, ସଂସ୍କୃତି ଓ ପରମ୍ପରା କେବଳ ଓଡ଼ିଶା ନୁହେଁ, ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଛି । ଏଠାରେ ଜୈବିକ ପଦ୍ଧତିରେ ଉତ୍ପାଦିତ ହେଉଥିବା ଧାନ, ମାଣ୍ଡିଆ, ଫଳ, ପନିପରିବା, କୋରାପୁଟ କଫି, ହଳଦୀ ଚାଷ ଆଦି ସ୍ୱତନ୍ତ୍ର । ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏହି ସବୁ କୃଷି ଉତ୍ପାଦିତ ସାମଗ୍ରୀ ଉପରେ ଗବେଷଣା କରିବା ସାଧୁ ଉଦ୍ୟମ ଅଟେ ।
କୋରାପୁଟ ଜିଲ୍ଲାରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏକ ସମ୍ମାନସ୍ପଦ ଅନୁଷ୍ଠାନ । ଏହି ବିଶ୍ୱବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଅନେକ ସଂକଳ୍ପ ନେଇ ଆଗକୁ ବଢୁଛି । ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ସହିତ ସେମାନଙ୍କ ଭବିଷ୍ୟତ ଗଠନ କରିବା ଦିଗରେ ସହଯୋଗୀ ହୋଇଛି । ଅବିଭକ୍ତ କୋରାପୁଟର ମୁଖ୍ୟ ଲୋକଶକ୍ତି, ଜନଜାତି ସମାଜର ସଶକ୍ତିକରଣ, ଶିକ୍ଷା, ଦକ୍ଷତା ବିକାଶ, ଭାଷା ଓ ସଂସ୍କୃତିର ସଂରକ୍ଷଣ ଉଦ୍ଦେଶ୍ୟରେ ଶିକ୍ଷାନୁଷ୍ଠାନରେ ‘ଆଦିବାସୀ ଗବେଷଣା କେନ୍ଦ୍ର’ ଆରମ୍ଭ ହେବା ଖୁସିର ବିଷୟ । ଏହି ଶିକ୍ଷାନୁଷ୍ଠାନର ପରିବେଶ ଛାତ୍ରଛାତ୍ରୀ ମାନଙ୍କର ବୌଦ୍ଧିକ କ୍ଷମତା ବିକାଶ କରିବା ସହିତ ସେମାନଙ୍କୁ ପ୍ରତିଭାଶାଳୀ କରି ଦେଶ-ମାତୃକା ପାଇଁ ସମର୍ପିତ ହେବାକୁ ନିଶ୍ଚିତ ଭାବରେ ପ୍ରେରଣା ଦେବ, ଏଥିରେ ସନ୍ଦେହ ନାହିଁ । ଓଡିଶା ତଥା କୋରାପୁଟରେ ଗୁଣାତ୍ମକ ଶିକ୍ଷାର ପ୍ରସାର ତଥା ଭିତ୍ତିଭୂମି ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ନିରନ୍ତର ପ୍ରୟାସ କରି ଆସୁଛନ୍ତି । କୋରାପୁଟ ସମେତ ସମଗ୍ର ଓଡ଼ିଶା ଓ ଭାରତବର୍ଷରେ ଜନଜାତି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି ।
ଦେଶର ‘ଅମୃତକାଳ’ରେ ଆମର ପ୍ରଧାନମନ୍ତ୍ରୀ ଦେଶ ପାଇଁ ବଳିଦାନ ଦେଇଥିବା ବୀର ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଦେଶବ୍ୟାପୀ ମୋ ମାଟି, ମୋ ଦେଶ ଅଭିଯାନ ଆରମ୍ଭ କରିଛନ୍ତି । ଭାରତଛାଡ଼ ଆନ୍ଦୋଳନରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବୀର ଆଦିବାସୀମାନେ ଯେଉଁ ଅଭୂତପୂର୍ବ ସାହସ ଦେଖାଇଥିଲେ, ତାହା ଚିର ସ୍ମରଣୀୟ । ଏହି ଉପଲକ୍ଷେ କୋରାପୁଟରେ ଭାରତଛାଡ ଆନ୍ଦୋଳନର ନେତୃତ୍ୱ ନେଇଥିବା ଶହୀଦ ଲକ୍ଷ୍ମଣ ନାଏକ ଏବଂ ଅବିଭକ୍ତ କୋରାପୁଟ ଜିଲ୍ଲାର ପାପଡାହାଣ୍ଡି ଗୁଳିକାଣ୍ଡରେ ଦେଶ ମାତୃକା ପାଇଁ ପ୍ରାଣବଳୀ ଦେଇଥିବା ୧୯ ଜଣ ଶହୀଦ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମଧ୍ୟ ମୋ ମାଟି, ମୋ ଦେଶ ଅଭିଯାନରେ ସାମିଲ ହୋଇ ଛାତ୍ରଛାତ୍ରୀଙ୍କୁ ଏକାଠି କରି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଶ୍ରୀଯୁକ୍ତ ପ୍ରଧାନ ଆହ୍ୱାନ କରିଛନ୍ତି ।
ଅଧିକ ପଢନ୍ତୁ ;- ଘୋଷଣା ହେଲା ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ୍ ପରୀକ୍ଷା ତାରିଖ