ନିଜର ହକ୍ ପାଇଁ ଜିଦରେ ଅଟଳ ରହିଛନ୍ତି ରାଜ୍ୟର ୧ ଲକ୍ଷ ୩୦ ହଜାର ଶିକ୍ଷକ । ସେପଟେ ପାଠପଢ଼ାରୁ ବଞ୍ଚିତ ହୋଇ ଅନ୍ଧାରକୁ ଗଲାଣି ଲକ୍ଷ ଲକ୍ଷ କୋମଳମତି ଶିଶୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ। ସମଗ୍ର ରାଜ୍ୟରେ ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ଆନ୍ଦୋଳନକୁ ୟା ଭିତରେ ଦଶ ଦିନ ବିତିଥିଲେ ବି ଏଯାଏଁ ବାହାରି ପାରୁନି ସମାଧାନର ବାଟ । ଫଳରେ ବିଦ୍ୟାଳୟରେ ବିଗିଡ଼ି ଗଲାଣି ପାଠପଢ଼ା ପରିବେଶ । ପିଲାଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି ଉଭୟ ଶିକ୍ଷକ ଓ ସରକାର ।
ବିଭିନ୍ନ ଦାବିରେ ଚାଲିଥିବା ଶିକ୍ଷକ ଆନ୍ଦୋଳନ ଆଜି ଦଶମ ଦିନରେ ପହଁଚିଛି | ସ୍କୁଲରେ ପାଠପଢ଼ା ପ୍ରଭାବିତ ହୋଇଛି | ସରକାର କାର୍ଯ୍ୟାନୁଷ୍ଠାନ ନାଲି ଆଖି ଦେଖାଇବା ସତ୍ୱେ ଶିକ୍ଷକମାନେ ନିଜର ଆନ୍ଦୋଳନ ଜାରି ରଖିଛନ୍ତି | ଭିନ୍ନ ଭିନ୍ନ ରୂପରେ ଶିକ୍ଷକମାନେ ପ୍ରତିବାଦ କରୁଥିବା ଦେଖିବାକୁ ମିଳୁଛି | ଜଣେ ଶିକ୍ଷକ ହାତରେ ଗଦା ଧରି ମହାରାଜା କଂସ ରୂପରେ ପ୍ରଶ୍ନ କରୁଥିବାବେଳେ ଆଉ ଜଣେ ଶିକ୍ଷକ ମନ୍ତ୍ରୀ ସାଜି ଏହାର ଉତ୍ତର ରଖିଥିଲେ | ଏଭଳି କିଛି ନାଟକୀୟ ଢଙ୍ଗରେ ଆନ୍ଦୋଳନରତ ଶିକ୍ଷକମାନେ ସରକାରଙ୍କ ନିକଟରେ ନିଜର ଦାବି ଉପସ୍ଥାପନା କରିଛନ୍ତି |
ଗତକାଲି ନିଖିଳ ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ଷ୍ଟିଅରିଂ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା | ଏଥିରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି କୁହାଯାଇଛି | ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଆନ୍ଦୋଳନରେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଏଥିରେ ସାମିଲ ହେବେ | ଆସନ୍ତା ୧୯ ତାରିଖରେ ଗଣେଶ ପୂଜାକୁ ବର୍ଜନ କରିବେ ବୋଲି କୁହାଯାଇଛି | ସେମାନେ କହିଛନ୍ତି ଯେ , ଯଦି ରାଜ୍ୟ ସରକାର ଶିକ୍ଷକ ଆନ୍ଦୋଳନକୁ ଖାତିର ନକରି କୌଣସି ବିକଳ୍ପ ପନ୍ଥା ଆପଣାନ୍ତି ତେବେ ଏହାର କଡା ଜବାବ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି | ସେପଟେ ରାୟଗଡ଼ା ଜିଲ୍ଲାରେ ଶିକ୍ଷକଙ୍କ ଆନ୍ଦୋଳନ ପାଇଁ ୮ ଦିନ ହେବ ସ୍କୁଲ ବନ୍ଦ ରହିଛି । ଫଳରେ ଅନେକ ପିଲା ଆଉ ସ୍କୁଲ ନଆସି ଖେଳକୁଦରେ ମାତିଲେଣି । ସେହିଭଳି ଗଜପତି ଜିଲ୍ଲା ମୋହନାରେ ପିଲାଏ ଆସୁଛନ୍ତି କିନ୍ତୁ ଶିକ୍ଷକ, ଶିକ୍ଷୟିତ୍ରୀ ଆସୁନାହାନ୍ତି । ଶ୍ରେଣୀଗୃହରେ ସବୁଦିନ ଏମିତି ତାଲା ଝୁଲୁଥିବା ଦେଖି ନିରାଶରେ ଫେରୁଛନ୍ତି ଛାତ୍ରଛାତ୍ରୀ । ଖୋର୍ଦ୍ଧା ଅରାଙ୍ଗ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଯାଏଁ ପଢୁଥିବା ପିଲାଙ୍କ ସଂଖ୍ୟା ୧୨୦ । ହେଲେ ସେମାନଙ୍କୁ ସମ୍ଭାଳିବାକୁ ଜଣେ ମାତ୍ର ଶିକ୍ଷକ । ତେଣୁ ପାଠପଢ଼ା କଥା ଛାଡି , ଖାଲି ଆକଟ କରିବାକୁ ବି ନାକେଦମ୍ ହୋଇ ପଡୁଛନ୍ତି ଶିକ୍ଷକ । ୩ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିବା ପ୍ରାଥମିକଙ୍କ ଶିକ୍ଷକ ଆନ୍ଦୋଳନ ପାଇଁ ଅନିଶ୍ଚିତତା ଭିତରେ ପିଲାଙ୍କ ପାଠପଢ଼ା । ନୟାଗଡ଼ରେ ସପ୍ତାହେ ଧରି ଅଚଳାବସ୍ଥା ପରେ ଏବେ କିଛି କିଛି ସ୍ଥାନରେ ହାତରେ ଚକ୍ ଆଉ ଡଷ୍ଟର ଧରିଛନ୍ତି ଅଭିଭାବକ । ଆଜି ଖୋଦ ଗଣଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲା ମୟୂରଭଞ୍ଜର ବାଉଁଶକଣ୍ଟିଆ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏଭଳି ଅଭାବନୀୟ ଚିତ୍ର ।
ଅଧିକ ପଢ଼ନ୍ତୁ : ୨୬ରୁ ହାଇସ୍କୁଲ ଶିକ୍ଷକଙ୍କ ଆନ୍ଦୋଳନ ଆରମ୍ଭ