ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ। ଦିନ ୧୧ଟାରେ ପ୍ରକାଶ ପାଇବ ରେଜଲ୍ଟ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ପରିସରରେ ଫଳାଫଳ ଘୋଷଣା କରାଯିବ। ଏନେଇ ସୂଚନା ଦେଇଛନ୍ତି CHSE ପରୀକ୍ଷା ନିୟନ୍ତ୍ରକ । ରେଜଲ୍ଟ ଘୋଷଣା ପରେ ଛାତ୍ରଛାତ୍ରୀମାନେ www.orissaresults.nic.in ୱେବ୍ସାଇଟ୍ ଓ ସାମ୍ସ ପୋର୍ଟାଲ୍ରୁ ନିଜ ନିଜର ରେଜଲ୍ଟ ଜାଣିପାରିବେ। କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ପରୀକ୍ଷା ଫଳ ଜୁନ୍ ୮ ସୁଦ୍ଧା ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଥିବା ପରିଷଦ ଅଧ୍ୟକ୍ଷ ଅଶ୍ବିନୀ କୁମାର ମିଶ୍ର ସୂଚନା ଦେଇଛନ୍ତି ।
ସୂଚନାଥାଉ କି, ମାର୍ଚ୍ଚ ୧ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇ ଏପ୍ରିଲ ୫ରେ ଶେଷ ହୋଇଥିଲା। ମୋଟ୍ ୧୧୪୫ ପରୀକ୍ଷା କେନ୍ଦ୍ରରେ ସାଢେ଼ ୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥରୁ କଳାରେ ୨ ଲକ୍ଷ ୧୯ ହଜାର ୧୧୦, ବିଜ୍ଞାନରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଚଳିତବର୍ଷ ମୋଟ ୧୧ ଶହ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ୬୫ଟି ଅଫଲାଇନ କେନ୍ଦ୍ର ଓ ୩୯ଟି ଅନଲାଇନ କେନ୍ଦ୍ରରେ ଖାତା ଦେଖା ହୋଇଥିଲା । ଅନ୍ୟପକ୍ଷେ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶନରେ ବିଳମ୍ବକୁ ନେଇ ପରୀକ୍ଷାର୍ଥୀଙ୍କ ଭିତରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। CBSE ଓ CISCE ବୋର୍ଡ ରେଜଲ୍ଟ ୧୫ ଦିନ ପୂର୍ବରୁ ପ୍ରକାଶ ପାଇ ସାରିଲାଣି। ଯେଉଁଥିପାଇଁ ଅଭିଭାବକ ଓ ଛାତ୍ରଛାତ୍ରୀ ଚିନ୍ତାରେ ଅଛନ୍ତି।