ଭଦ୍ରକ: ବାତ୍ୟା ଦାନା ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ରେବ ଓ କପାଳି ନଦୀର ପାଣି ଉଛୁଳି ଚାଷ ଜମିରେ ବନ୍ୟା ପାଣି ପ୍ରବେଶ କରିଛି। ଏଥି ସହ ଭଦ୍ରକ ଆଖଣ୍ଡଳମଣି ମୁଖ୍ୟ ରାସ୍ତାରେ ତିନି ଫୁଟର ପାଣି ପ୍ରଭାବିତ ହେବାର ଦେଖା ଦେଇଥିବା ବେଳେ ଆଖଣ୍ଡଳମଣିକୁ ଯିବା ଆସିବା କରୁଥିବା ଲୋକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେବାର ଦେଖା ଦେଇଛି। ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ ବୁଲି ଦେଖିଛନ୍ତି ଏହି ବନ୍ୟା ପ୍ରଭାବିତ ଅଞ୍ଚଳ। ଲୁଣିଆ, ସହିଦ ନଗର, ଅସୁରାଳି, ଫତେପୁର, ଧୂଷୁରି ପ୍ରଭୃତି ଅଞ୍ଚଳରେ ବାତ୍ୟା ବେଳେ ଘରଦ୍ୱାର ଛାଡି ରହିଥିବା ଆଶ୍ରୟ ସ୍ଥଳରେ ଲୋକମାନଙ୍କ ପାଖରେ ପହଞ୍ଚି ଭଲମନ୍ଦ ପଚାରି ବୁଝିଥିଲେ। ଶହଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇଥିବା ବେଳେ ଧାନ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ବୋଲି ଆଶଙ୍କା କରାଯାଉଛି। ଚଳିତବର୍ଷ ଭଲ ଧାନ ହୋଇଥିବା ବେଳେ ଆଉ କିଛି ଦିନ ପରେ ଧାନ ଅମଳ ହୋଇଥାନ୍ତା, ହେଲେ ସବୁ ଉଜାଡି ଦେଲା ବାତ୍ୟା। ଏବେ ବି ନଦୀର ଜଳସ୍ତର ବୃଦ୍ଧି ପାଉଥିବା ଦେଖିବା କୁ ମିଳିଛି।