ପାରାଦୀପ: ହାଇୱା ସହିତ ଧକ୍କା ହୋଇ କେନାଲକଡ଼କୁ ଓଲଟି ପଡିଲା ମଦ ବୋଝେଇ ପିକ୍ଅପ୍ ଭ୍ୟାନ୍। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିବା ସହିତ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କଟକ-ପାରାଦୀପ ରାସ୍ତାର କୁଜଙ୍ଗ ବଳରାମପୁରଗଡ଼ା ନିକଟରେ ସୋମବାର ରାତିରେ ଏହି ଘଟଣା ଘଟିଛି।
ସୂଚନା ଅନୁଯାୟୀ ସୋମବାର ବିଳମ୍ବିତ ରାତ୍ରିରେ କଟକରୁ ଏକ ମଦ ବୋଝେଇ ପିକ୍ଅପ୍ ପାରାଦୀପ ଆସୁଥିବା ବେଳେ ବିପରୀତ ଦିଗରୁ ଯାଉଥିବା ହାଇୱା ଏହାକୁ ଧକ୍କା ଦେଇଥିଲା। ଫଳରେ ମଦ ବୋଝେଇ ପିକ୍ଅପ୍ଟି କେନାଲକଡ଼କୁ ଓଲଟି ପଡିଥିଲା।
ଏହି ଦୁର୍ଘଟଣା ପରେ ଦେବଦୂତ ସଡ଼କ ସୁରକ୍ଷା ବାହିନୀର ସଭାପତି ପଙ୍କଜ ତରାଇଙ୍କ ନେତୃତ୍ୱରେ ସଦସ୍ୟମାନେ ପହଞ୍ଚି ପିକ୍ଅପ୍ ତଳେ ଚାପିହୋଇ ରହିଥିବା ଦୁଇଜଣଙ୍କୁ ବହୁକଷ୍ଟରେ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ, ଯେଉଁଠି ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ଚିକିତ୍ସାଧୀନ ରହିଥିବା ସୂଚନା ମିଳିଛିl