ଅମାନିଆ ଗାଡି ମଟର ଚାଳକ ମାନଙ୍କୁ ସଡକ ସୁରକ୍ଷା ନେଇ ସଚେତନ କରିବା ପାଇଁ ଆଞ୍ଚଳିକ ପରିବହନ ବିଭାଗର ଅଭିନବ ପ୍ରୟାସ କରାଯାଇଛି। ଅମାନିଆ ଚାଳକ ମାନଙ୍କୁ ମାଗଣା ହେଲମେଟ ପ୍ରଦାନ କରାଯାଇଛି। ଏଥି ସହିତ ଗାଡି ଚାଳନା ସମୟରେ ନିୟମ ପାଳନ ନେଇ ଚାଳକ ମାନଙ୍କୁ ସଚେତନ କରାଯାଇଛି।
ସ୍ଥାନୀୟ ପାଲବଣି ବାଇପାସ ଠାରେ ବାରିପଦା ଏମଭିଆଇ ସାଲଖୁ ମୁର୍ମୁଙ୍କ ଉପସ୍ଥିତରେ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପରିବହନ ଅଧିକାରୀ ଉପସ୍ଥିତ ରହି ହେଲମେଟ ପରିଧାନ କରିନଥିବା ଅମାନିଆ ବାଇକ ଚାଳକ ମାନଙ୍କୁ ଅଟକାଇ ହେଲମେଟ ପରିଧାନ କରାଯଇଥିଲେ । ଗାଡି ଚାଳନା ସମୟରେ ଟ୍ରାଫିକ ସିଗନାଲ ଏବଂ ନିୟମକୁ କଡାକଡ଼ି ମାନି ସୁରକ୍ଷିତ ଢଙ୍ଗରେ କିପରି ଗାଡି ଚାଳନା କରି ନିଜ ଜୀବନକୁ ସୁରକ୍ଷିତ ରଖିବା ସହିତ ଅନ୍ୟମାନଙ୍କ ଜୀବନକୁ ସୁରକ୍ଷିତ ରଖିବା ନେଇ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଛି।
ବିଶେଷ କରି ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡି ଚାଳନା ନକରିବା, ଦୁଇ ଚକିଆ ଯାନ ଚାଳନା ସମୟରେ ଉଭୟ ହେଲମେଟ ପିନ୍ଧିବା, ଚାରି ଚକିଆ ଚାଳନା ସମୟରେ ସିଟବେଲ୍ଟ ବ୍ୟବହାର କରିବା, ମଦ୍ୟପାନ କରି ନିଶାଶକ୍ତ ହୋଇ ଗାଡି ନଚଳେଇବା, ଅତ୍ୟଧିକ ଦ୍ରୁତଗତିରେ ଯାନ ନଚଳେଇବା, ଗାଡି ଚାଳନା ସମୟରେ ଟ୍ରାଫିକ ନିୟମ ପାଳନ କରିବା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ବିପଦ ମୁକ୍ତ ଜୀବନ ବଞ୍ଚିବା ପାଇଁ ସଚେତନ କରାଯିବାର ଲକ୍ଷ୍ୟ ରହିଛି।
ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରିବା ପାଇଁ "ସଡ଼କ ସୁରକ୍ଷା ଜୀବନ ରକ୍ଷା" ସମ୍ପର୍କରେ ବାର୍ତ୍ତା ପହଞ୍ଚାଇବା ପାଇଁ ଉକ୍ତ ସଚେତନତା କାର୍ଯ୍ୟକ୍ରମ ଚଳିତ ମାସ ଶେଷ ପର୍ଯ୍ୟନ୍ତ ନିୟମିତ ଭାବେ ଜାରି ରହିବ। ମୋଟର ଗାଡି ଚଳାଇଲା ବେଳେ ସର୍ବଦା ହେଲମେଟ ପିନ୍ଧନ୍ତୁ। ତେବେ ନିୟମ ପାଳନ କରୁନଥିବା ଅମାନିଆ ଚାଳକ ମାନଙ୍କ ଠାରୁ ଆଗକୁ ଫାଇନ ଆଦାୟ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମୁର୍ମୁ କହିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ ଅଧିକାରୀ ବିଶ୍ୱରାଜ ବେହେରା, ଆଞ୍ଚଳିକ ପରିବହନ ବିଭାଗର କର୍ମଚାରୀ, ଟ୍ରାଫିକ ଓ ପୁଲିସ କର୍ମଚାରୀ ଏବଂ ଅନ୍ୟାନ୍ୟ ପ୍ରମୁଖ ଉପସ୍ଥିତ ରହି ସଚେତନ କରିଥିଲେ।
ଆଗକୁ ପଢ଼ନ୍ତୁ -୭ ବର୍ଷ ପରେ ଗର୍ଜିବ କ୍ୟାମ୍ପସ୍, ଫେରିବ ଛାତ୍ର ସଂସଦ ନିର୍ବାଚନ