ଜି-୨୦ ବିଶ୍ବ ଦରବାରରେ ଓଡ଼ିଶାର ଭାରତୀୟ ସ୍ବରୂପର ଜୟଜୟକାର । ବିଶ୍ବ ନେତୃତ୍ବଙ୍କୁ ମୋଦିଙ୍କ ସ୍ବାଗତ ବେଳେ ଓଡ଼ିଆ ସ୍ବାଭିମାନର ପ୍ରତୀକ କୋଣାର୍କ ଚକ୍ରର ଭବ୍ୟ ଉପସ୍ଥିତି । କୋଣାର୍କ ମନ୍ଦିରର ଅଖ ଚକର ପ୍ରତିକୃତିକୁ ଅଙ୍ଗୁଳି ନିର୍ଦ୍ଦେଶ କରି ବିଶ୍ବର ଶକ୍ତିଶାଳୀ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମୋଦି ବୁଝାଇଲେ କୋଣାର୍କର କଳା ସଂସ୍କୃତିର ଅନନ୍ୟ ପରିଚୟ । ଆଉ ଏହାକୁ ନେଇ ଟୁଇଟରେ ନିଜ ଖୁସି ଜାହିର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏ ସମ୍ପର୍କିତ ଫଟୋ ସେୟାର କରି ଏହା ସମସ୍ତ ଭାରତୀୟ ବିଶେଷ ଭାବେ ଓଡ଼ିଆ ଭାଇ ଭଉଣୀଙ୍କ ପାଇଁ ଗର୍ବର ବିଷୟ ବୋଲି ଧର୍ମେନ୍ଦ୍ର ଟ୍ୱିଟରରେ ଉଲେଖ କରିଛନ୍ତି । ଜି-୨୦ର ପ୍ରଥମ ଦିନରେ ଓଡ଼ିଶାର ଅନନ୍ୟ ପରିଚୟ ସମ୍ବଲପୁରୀ ଡାଲଖାଇ ଗୀତରେ ବିଶ୍ବ ଅତିଥିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଓଡ଼ିଶାର ଐତିହ୍ୟ, ପରମ୍ପରା ସଂସ୍କୃତି, ଭାଷା, ସଙ୍ଗୀତ ଓ ନୃତ୍ୟ ଆଜି ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଓଡ଼ିଶାର କୋଣାର୍କ ଆଜି ବିଶ୍ବ କୀର୍ତ୍ତିରାଜି। କୋଣାର୍କ ଓଡ଼ିଆ ସ୍ଥାପତ୍ୟର ନିଦର୍ଶନ ନୁହେଁ ଏହା ଓଡ଼ିଆ ଜାତିର ବୈଜ୍ଞାନିକତାର ବିଶ୍ବ ସାମ୍ନାରେ ବଡ ପ୍ରମାଣ । କୋଣାର୍କର ସୂର୍ଯ୍ୟମନ୍ଦିର ଓଡ଼ିଆ କାରିଗରର ନିହଣ ହାତୁଡି ମୁନରେ ତିଆରି ହୋଇଛି । ସୂର୍ଯ୍ୟଙ୍କ ଗତି ସହ ବୈଜ୍ଞାନିକ ପୃଷ୍ଠଭୂମିରେ ସୁସଜ୍ଜିତ ରଥ ଭାବରେ ପ୍ରସ୍ତୁତ କୋଣାର୍କର ସୂର୍ଯ୍ୟମନ୍ଦିର । ଉଦିତ ବାଳସୂର୍ଯ୍ୟ ହୁଅନ୍ତୁ ବା ମଧ୍ୟାହ୍ନର ରୌଦ୍ର ଅବା ଅସ୍ତଗାମୀ ସୂର୍ଯ୍ୟଙ୍କର କିରଣ । ପ୍ରତିଟିର ଗତି, ସ୍ଥିତି ଅବସ୍ଥିତିକୁ ନେଇ ଓଡ଼ିଆ କାରିଗର ନିହଣ ମୁନ ଦେଇଛି ବୈଜ୍ଞାନିକ ପୃଷ୍ଠଭୂମିର ଶେଷ ନିଦର୍ଶନ ।
ଆଜି ଯେତେବେଳେ ବିଶ୍ବ ନେତୃତ୍ବ ଦିଲ୍ଲୀ ମୁହାଁ ସେତେବେଳେ ଦିଲ୍ଲୀରେ ମୋଦି କରୁଛନ୍ତି ଓଡ଼ିଆ କଳାକୃତିର ଜୟଜୟକାର। ଆମେରିକା, ଇଲଂଣ୍ଡ, ଜର୍ମାନୀ, ଜାପାନ, କାନାଡା, ନାଇଜେରିଆ, ସ୍ପେନ୍ ଭଳି ଦେଶର ତୁଙ୍ଗ ନେତୃତ୍ବ ନୂଆଦିଲ୍ଲୀରେ ଦେଖୁଛନ୍ତି ଓଡ଼ିଆ ଜାତିର ମହାଭାରତୀୟ ସ୍ବରୂପ। ଓଡ଼ିଆ ଜାତିର ଗର୍ବରେ ଛାତି କୁଣ୍ଢେମୋଟ ହେବା ସ୍ବାଭାବିକ ଅଟେ । ଓଡ଼ିଆଙ୍କୁ କୁହାଯାଏ ପରିଶ୍ରମ କରନ୍ତି ସଫଳତା ପାଆନ୍ତି କିନ୍ତୁ ପ୍ରଚାର କରନ୍ତିନି। ମୋଦିଙ୍କ ନେତୃତ୍ବରେ ଭାରତ ସରକାର ଓଡ଼ିଆଙ୍କୁ ଯେଉଁ ବିଶ୍ବ ପରିଚୟ ଦେଇଛନ୍ତି ତାହା ଓଡ଼ିଆ ଜାତିର ସ୍ବାଭିମାନ ଅସ୍ମିତା ଓ ପରିଚୟକୁ ବଡ କରିଛି ।
ଅଧିକ ପଢ଼ନ୍ତୁ : ଆରମ୍ଭ ହୋଇଯାଇଛି ଜି-୨୦ସମ୍ମିଳନୀର ପ୍ରଥମ ସେସନ : ବିଶ୍ୱ ଦେଖିବ ଭାରତର ନେତୃତ୍ୱ