ଖବର ଓଡିଶା : 20/05/2023
ଓଡ଼ିଶାକୁ ମିଳିଲା ଆଉ ଦୁଇଟି ସ୍ୱତନ୍ତ୍ର ନୂଆ ରେଳ ପ୍ରକଳ୍ପ । ଏନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ଗେଜେଟ ନୋଟିଫିକେସନ୍ ଜାରିହୋଇଛି । ନୂଆ କରି ନିର୍ମାଣ ହେବ ତାଳଚେର-ଅନୁଗୁଳ ରେଳ ଲାଇନ । ତାଳଚେରଠାରୁ ଏହା ୱାଇ କନେକସନ ରହିବ । ଏହି ନୂଆ ରେଳ ଲାଇନର ମୋଟ ଦୂରତା ହେଉଛି ୧୬.୫୦ କିଲୋମିଟର । ସେହିପରି ବରଗଡ ରୋଡଠାରୁ ନୂଆପଡା ନୂଆ ରେଳ ଲାଇନ ହେବ । ଏହି ଟ୍ରେନ୍ ଲାଇନର ଦୂରତା ରହିବ ୧୪୨ କିଲୋମିଟର । ଏହି ରେଳପଥ ପୂର୍ବତଟ ରେଳପଥର ସମ୍ବଲପୁର ଡିଭିଜନ ଅଧିନରେ ରହିବ ।
ବିଜ୍ଞପ୍ତି ଅନୁଯାୟୀ ପୂର୍ବତଟ ରେଳବାଇର ସମ୍ବଲପୁର ଡିଭିଜନ ଅଧୀନରେ ୧୬ଦଶମିକ ୫କିଲୋମିଟର ଲମ୍ବା ତାଳଚେର-ଅନୁଗୁଳ ନୂଆ ବ୍ରଡଗଜ ଲାଇନ ଓ ବରଗଡ଼-ନୂଆପଡା ରୋଡ ୧୪୨କିଲୋମିଟରକୁ ସ୍ୱତନ୍ତ୍ର ପ୍ରକଳ୍ପ ମାନ୍ୟତା ମିଳିଛି । ପଦ୍ମପୁର ଉପନିର୍ବାଚନ ବେଳେ ବରଗଡ଼-ନୂଆପଡ଼ା ଲାଇନକୁ ନେଇ ଉଠିଥିଲା ପ୍ରସଙ୍ଗ । କିଛି ମାସ ତଳେ ସଡକ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ପଦ୍ମପୁର ଦେଇ ବରଗଡ-ନୂଆପଡା ରେଳଲାଇନ ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ । ଗତବର୍ଷ ନଭେମ୍ବର ୨୧ ତାରିଖରେ ଏକ ଚିଠି ମାଧ୍ୟମରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର ଉତ୍ତର ରଖିଥିଲେ, ଓଡିଶା ସରକାରଙ୍କ ଆବେଦନ କ୍ରମେ ଡିଟେଲ ପ୍ରୋଜେକ୍ଟ ରିପୋର୍ଟ ବା ଡିପିଆର ଏନେଇ ଅନୁମୋଦନ ହୋଇଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଥିଲା ।