କଟକ : ପେସାରେ ଡାକ୍ତର କିନ୍ତୁ ନିଶା ଆଜି ତାଙ୍କୁ ଆଣିଦେଇଛି ଅଦମ୍ୟ ସଫଳତା । କଟକ ବଡ ମେଡିକାଲରେ ଦନ୍ତ ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ ଡକ୍ଟର ନିଲିମା ଏବେ ଜାତୀୟ ଟାଇକୋଣ୍ଡୋ ଦଳରେ ପ୍ରଥମ ଓଡିଆ ଭାବରେ ସ୍ଥାନ ପାଇଛନ୍ତି ।
ବୟସ ୪୦ ହେଲେ ସୁଦ୍ଧା କିଛି କରିଦେଖାଇବାର ଦୃଢ ଇଚ୍ଛା ଶକ୍ତି ଓ ମାତ୍ର ୫ ବର୍ଷର ତାଲିମ୍ ନିଲିମା କଟ୍ଟିଙ୍କୁ ଏହି ସଫଳତା ଦେବା ସହିତ ସାରା ଓଡ଼ିଶା ପାଇଁ ଆଣିଦେଇଛି ଗୌରବ ।
କଟକ ମହତାବ ରୋଡ୍ ରେ ବାସ କରୁଥିବା ଅଶୋକ କୁମାର କଟ୍ଟି ଓ ନାଗବେଣି କଟ୍ଟିଙ୍କ ଝିଅ ନିଲିମା କଟ୍ଟି । ନିଲିମା ତାଙ୍କ ସ୍ୱାମୀ ଓ ତାଙ୍କ ପରିବାର ଲୋକଙ୍କ ସହଯୋଗରେ ଏଭଳି କୃତିତ୍ୱ ହାସଲ କରିଥିବା କହିଛନ୍ତି ।
କଟକ ରେ ରହୁଥିବା ନିଲିମାଙ୍କର ପିଲାଦିନୁ କ୍ରୀଡା ପ୍ରତି ଆଗ୍ରହ ଥିଲା ଏବଂ ବାହାଘରେ ପରେ ଷ୍ଟାଡିୟମରେ ମର୍ଣ୍ଣି ୱାର୍କ କରୁଥିବା ବେଳେ ଟାଇକୋଣ୍ଡୋରେ ତାଲିମ୍ ନେଉଥିବା ପିଲାମାନଙ୍କୁ ଦେଖି ତାଙ୍କୁ ତାଇକୋଣ୍ଡୋ ପ୍ରତି ଆଗ୍ରହ ହୋଇଥିଲା ଯାହାଫଳରେ ତାଙ୍କ ସ୍ୱାମୀଙ୍କ ସମେତ ସେ ଓ ତାଙ୍କ ପୁରା ପରିବାର ତାଇକୋଣ୍ଡୋ ପ୍ରଶିକ୍ଷଣ ନେବା ଆରମ୍ଭ କରିଥିଲେ ।
ଏହି ପରି ଭାବରେ ମାତ୍ର ୫ବର୍ଷରେ ନିଲିମା ଜାତୀୟ ଟାଇକୋଣ୍ଡୋ ଦଳରେ ସ୍ଥାନ ପାଇଛନ୍ତି । ଡାକ୍ତର ନିଲିମା ଓଡ଼ିଶାର ପ୍ରଥମ ଝିଅ ଭାବେ ସିନିୟର ୧୮ ଜଣିଆ ଦଳରେ ସାମିଲ ହୋଇଥିବା ବେଳେ ୫୦ ବର୍ଷରୁ କମ୍ ବର୍ଗରେ ସେ ସୁଯୋଗ ପାଇବେ ।
ଏହାସହ ଆଗାମୀ ଦିନରେ ହେବାକୁ ଥିବା ଅନ୍ଲାଇନ୍ ବିଶ୍ୱ ଟାଇକୋଣ୍ଡୋ ଓ ଏସିଆନ୍ ଟାଇକୋଣ୍ଡୋ ପ୍ରତିଯୋଗିତାରେ ସେ ଭାରତୀୟ ଦଳରେ ମଧ୍ୟ ଦେଖିବାକୁ ମିଳିବେ । ଡାକ୍ତର ନିଲିମାଙ୍କୁ ଜାତୀୟସ୍ତରର କୋଚ୍ ଅମରେନ୍ଦ୍ର ପୃଷ୍ଟି ଏବେ ତାଲିମ ଦେଉଛନ୍ତି।