ଭାରତର UPI ସିଷ୍ଟମ୍ ଉପରେ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ଆଗ୍ରହ ଦେଖାଉଛନ୍ତି । ଅତି ସହଜରେ ଡିଜିଟାଲ୍ ପେମେଣ୍ଟ୍ ହେଉଥିବାରୁ ସାରା ବିଶ୍ୱ ଏହାକୁ ଆପଣାଇବାକୁ ଚାହୁଁଛି । ସିଙ୍ଗାପୁର, ୟୁଏଇ, ନେପାଳ, ଭୁଟାନ, ଫ୍ରାନ୍ସ ଏବଂ ଶ୍ରୀଲଙ୍କା ପରି ଦେଶ ଗୁଡ଼ିକ UPI ପେମେଣ୍ଟ ଆପଣାଇ ସାରିଛନ୍ତି । ତେବେ ବର୍ତ୍ତମାନ ଜର୍ମାନୀର ଡିଜିଟାଲ ଏବଂ ପରିବହନ ମନ୍ତ୍ରୀ ଭୋଲକର ୱିସିଂ ମଧ୍ୟ ଭାରତର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ୟୁପିଆଇର ଜଣେ ବଡ଼ ପ୍ରସଂଶକ ପାଲଟି ଯାଇଛନ୍ତି । ଏତେ ସହଜରେ ପେମେଣ୍ଟ୍ ହୋଇ ପାରୁଥିବା ଦେଖି ସେ ଖୁସି ହୋଇଯାଇଛନ୍ତି । ଭାରତର ଜର୍ମାନ ଦୂତାବାସରେ ରବିବାର ଦିନ ଡିଜିଟାଲ୍ ଭିତ୍ତିଭୂମିକୁ ପ୍ରଶଂସା କରିବା ସହ ଏହାକୁ ଭାରତର ସଫଳତାର କାହାଣୀ ବୋଲି କହିଛନ୍ତି । ଏନେଇ ଜର୍ମାନ ଦୂତାବାସ ପକ୍ଷରୁ ଏକ ପୋଷ୍ଟ କରାଯାଇଛି । ମନ୍ତ୍ରୀ ଭୋଲକର ୱିସିଂ ରାସ୍ତାକଡରୁ ପନିପରିବା କିଣୁଥିବା ତଥା UPIରେ ପେମେଣ୍ଟ କରୁଥିବା ଏକ ଫଟୋ ଏବଂ ଭିଡିଓ ପୋଷ୍ଟ କରାଯାଇଛି ।
ପୋଷ୍ଟର କ୍ୟାପସନରେ ଲେଖା ଯାଇଛି, ‘ଭାରତର ସଫଳତାର କାହାଣୀ କହୁଛି ଡିଜିଟାଲ ଭିତ୍ତିଭୂମି । ମାତ୍ର କିଛି ସେକେଣ୍ଡରେ UPIରେ କାରବାର ହୋଇପାରୁଛି । ଲକ୍ଷ ଲକ୍ଷ ଭାରତୀୟ ଏହାକୁ ବ୍ୟବହାର କରୁଛନ୍ତି' । ଡିଜିଟାଲ ଏବଂ ପରିବହନ ମନ୍ତ୍ରୀ ୟୁପିଆଇ ପେମେଣ୍ଟର ସରଳତା ଅନୁଭବ କରିବା ସହ ଏହାକୁ ପ୍ରଶଂସା କରିଛନ୍ତି । ଏହା ଦେଖି ଜଣେ ୟୁଜର ଲେଖିଛନ୍ତି, 'ଭାରତର ଡିଜିଟାଲ ଅର୍ଥନୀତିର ଅଂଶ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ ।' ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, 'ଏହା ଜର୍ମାନୀର ବ୍ୟବସାୟୀ ଏବଂ ଦୋକାନୀ ମାନଙ୍କ ପାଇଁ ଆଶୀର୍ବାଦ ଠାରୁ କମ୍ ନୁହେଁ ।