ଗତକାଲି ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଙ୍ଗ କରିବାରେ ପ୍ରଥମ ଦେଶ ଭାବରେ ଭାରତ ସଫଳତା ହାସଲ କରିଛି। ସେହିଭଳି ଚନ୍ଦ୍ରପୃଷ୍ଠରେ ଅବତରଣ କରିବାରେ ଭାରତ ଚତୁର୍ଥ ଦେଶ ଭାବରେ ପରିଗଣିତ ହୋଇଛି। କିନ୍ତୁ ଋଷିଆର ଚନ୍ଦ୍ରଯାନ ମିଶନ 'ଲୁନାର-୨୫' ଫେଲ ମାରିଛି । ଚନ୍ଦ୍ରଯାନ-୩ ମିଶନ ପାଇଁ ଭାରତ ୭୫ ଲକ୍ଷ ଡଲାର ଅର୍ଥାତ୍ ୬୧୮ କୋଟି ଟଙ୍କା ଖର୍ଚ୍ଚ କରିଛି । ସେହି ତୁଳନାରେ ଲୁନାର-୨୫ ପାଇଁ ପ୍ରାୟ ତିନି ଗୁଣା ଅଧିକ ଟଙ୍କା ଖର୍ଚ୍ଚ କରି ଫେଲ ମାରିଛି ଋଷ । ଋଷ ଲୁନାର-୨୫ ପାଇଁ ୨ କୋଟି ଡଲାର ଅର୍ଥାତ୍ ୧୬୫୦ କୋଟି ଖର୍ଚ୍ଚ କରିଛି । ଭାରତ ଋଷଠୁ ବହୁତ କମ ଖର୍ଚ୍ଚ କରି ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିପାରିଛି । ଇସ୍ରୋର ଏହି ସଫଳତା ପରେ ବର୍ତ୍ତମାନ ଭାରତୀୟ ମହାକାଶ ଏଜେନ୍ସି ଉପରେ ସମଗ୍ର ବିଶ୍ୱର ନଜର ରହିଛି । ଅନ୍ୟ ଗ୍ରହକୁ ଯିବା ଅବା ସାଟେଲାଇଟ ପଠାଇବାରେ ଭାରତ ଅନ୍ୟ ଦେଶ ତୁଳନାରେ କମ ଖର୍ଚ୍ଚରେ କରୁଥିବାରୁ ଭାରତ ଉପରେ ଏବେ ଅନ୍ୟ ଦେଶଗୁଡିକ ନିର୍ଭର କରିପାରନ୍ତି ବୋଲି ଆଶା କରାଯାଉଛି। ଯେଉଁ ଦେଶ ପାଖରେ ବଜେଟ କମ ରହିଛି ସେମାନେ ଋଷ, ଆମେରିକା, ଚୀନ ପରିବର୍ତ୍ତେ ଭାରତର ସହଯୋଗ ଲୋଡିପାରନ୍ତି ବୋଲି କୁହାଯାଉଛି ।
ଗତକାଲି ଚନ୍ଦ୍ରଯାନ-୩ ସଫଳତା ହାସଲ କରିବା ପରେ ଇସ୍ରୋ ମୁଖ୍ୟ ଏସ ସୋମନାଥ କହିଥିଲେ ଯେ, କମ ଖର୍ଚ୍ଚରେ ଭାରତ ସଫଳତା ପାଇଥିବାରୁ ସବୁଦେଶ ଇସ୍ରୋର ସହଯୋଗିତା ଭିତ୍ତିରେ ମହାକାଶ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।