ମୟୂରଭଞ୍ଜ: ପବିତ୍ର ନୂଆଁଖାଇ ଶୁଭ ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ କରକମଳରେ ସି.ଏମ-କିଷାନ ସହାୟତା ରାଶି ପ୍ରଦାନ କରାଯାଇଅଛି। ରବିବାର ଦିନ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ସି.ଏମ-କିଷାନ କାର୍ଯ୍ୟକ୍ରମ ସ୍ଥାନୀୟ ଓଶ୍ଵାନ ହଲ ଠାରେ ଅନୁଷ୍ଠିତ ହୋଇଅଛି। ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନନୀୟ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାର୍ବଜନୀନ ଉଦ୍ୟୋଗ ବିଭାଗ ମନ୍ତ୍ରୀ, ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ଯୋଗଦାନ କରିଥିଲେ ଏବଂ ଜିଲ୍ଲାପାଳ ମୟୂରଭଞ୍ଜ, ଶ୍ରୀ ହେମକାନ୍ତ ସୟ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ସମ୍ବଲପୁର ଠାରୁ ଆଭାସୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସମଗ୍ର ରାଜ୍ୟବାସୀଙ୍କୁ ଉଦ୍ବୋଧନ ଦେବା ସହିତ ଓଡ଼ିଶାର ଚାଷୀ ଭାଇ ଓ ଭଉଣୀ ମାନଙ୍କ ପାଇଁ ୩ଟି କୃଷି ପୋର୍ଟାଲ ଯଥା: ସି.ଏମ-କିଷାନ, ପି.ଏମ.କିଷାନ ଓ କୃଷକ ଇଉନିଫାଏଡ ପୋର୍ଟାଲର ଉନ୍ମୋଚନ କରି କୃଷି ବିଭାଗ ଏବଂ ଅନୂସାଙ୍ଗିକ ବିଭାଗର ଯୋଜନାର ସଫଳ ରୂପାୟନ କରିଛନ୍ତି। ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରାୟ ୪୬ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପରିବାରଙ୍କୁ ୯୨୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଆର୍ଥିକ ସହାୟତା ଡ଼ିବିଟି ମାଧ୍ୟମରେ ହସ୍ତାନ୍ତର କରିଛନ୍ତି।
ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମୟୂରଭଂଜର ୨୫ ଜଣ ସି.ଏମ-କିଷାନ ହିତାଧିକାରୀ ଯୋଗ ଦେଇଛନ୍ତି ଏଠି ସହିତ ପ୍ରତି ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମରେ ୧୦ଜଣ ଲେଖାଏଁ ସି.ଏମ-କିଷାନର ହିତାଧିକାରୀ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଏହି ଯୋଜନାରେ ସରକାର ବର୍ଷ କୁ ଦୁଇଥର ଖରିଫ ଏବଂ ରବି ଋତୁରେ ୨୦୦୦ ଟଙ୍କା ପ୍ରୋତ୍ସାହନ ରାଶି ବ୍ୟାସଙ୍କ ଖାତାକୁ ସିଧାସଳଖ ଭାବରେ ପ୍ରଦାନ କରୁଛନ୍ତି ଏବଂ ଭୂମି-ହୀନ କୃଷକ ମାନଙ୍କ ପାଇଁ ବର୍ଷକୁ ଥରୁଟିଏ ୧୨,୫୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିବାର ସୁବିଧା ଅଛି।
ମୟୂରଭଞ୍ଜ ଜିଲ୍ଲାରେ ଏହି ଯୋଜନାରେ ୩,୨୪,୭୯୦ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୫୫୫ ଭୂମିହୀନ କୃଷକ ପରିବାର ଉପକୃତ ହୋଇଛନ୍ତି। ଏଥି ସହିତ ଆଗାମୀ ଦିନ ମାନଙ୍କରେ ସରକାରୀ ଅନୁଷ୍ଠାନରେ ପାଠ ପଢ଼ୁଥିବା କ୍ଷୁଦ୍ର ଏବଂ ନାମମାତ୍ର କୃଷକଙ୍କ ପିଲାମାନଙ୍କୁ, କୃଷି ବିଦ୍ୟା ନିଧି ଯୋଜନା ମାଧ୍ୟମରେ ଛାତ୍ରବୃତ୍ତି ପ୍ରଦାନ କରାଯିବାର ଯୋଜନା ମଧ୍ୟ ଅଛି। ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଶ୍ରୀ ସିଦ୍ଧାର୍ଥ ବେହୁରିଆ, ମାନ୍ୟବର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚ୍ଚିବ, ଶ୍ରୀ ରାମଚନ୍ଦ୍ର ସୋରେନ, କୃଷି ଯୋଜନା ଅଧିକାରୀ ଶ୍ରୀ ସୁଧାଂଶୁ ଶେଖର ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ।