ଖବର ଓଡ଼ିଶା: ଜଣେ ହିନ୍ଦୁ ଧର୍ମର ଯୁବକ ହୋଇ ମୁସଲମାନ ଧର୍ମର ଝିଅକୁ ବିବାହ କରିବାରୁ ମୃତ୍ୟୁ ଦଣ୍ଡ ମିଳିଛି । ସ୍ତ୍ରୀର ବାପ ଘର ଲୋକ କୁରାଢ଼ୀରେ ହାଣି ଯୁବକଙ୍କୁ ହତ୍ୟା କରିଛନ୍ତି । ଗୁଜୁରାଟର ଦ୍ୱାରକା ଜିଲ୍ଲାରେ ଏଭଳି ନାରକୀୟ କାଣ୍ଡ ଘଟିଛି । ଏ ନେଇ ମୃତ ଯୁବକଙ୍କ ମାଅ ଥାନାରେ ଏତଲା ଦେଇଛନ୍ତି । ଏହି ଘଟଣାରେ ମହିଳାଙ୍କ ଭାଇଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଥିବା ନେଇ ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ।
ଭାଣୱାଡ ଥାନାର ଡେପୁଟି ସୁପରିଟେଣ୍ଡେଣ୍ଟ ହାର୍ଦ୍ଦିକ ପ୍ରଜାପତିଙ୍କ କହିବା ଅନୁଯାୟୀ, ଦ୍ୱାରକା ଜିଲ୍ଲା ଭାଣୱାଡ ଅଞ୍ଚଳର ଶେଢ଼ାଖାଇ ଗ୍ରାମର ଯାଗନିକ ଦୁଧରେଜିଆ ଉକ୍ତ ଗ୍ରାମର ଜଣେ ମୁସଲମାନ ସମ୍ପ୍ରଦାୟର ଝିଅ ରମଜାଙ୍କୁ କିଛି ମାସ ତଳେ ପ୍ରେମ ବିବାହ କରିଥିଲେ । ଝିଅର ପରିବାର ଲୋକଙ୍କ ବିରୋଧରେ ଯାଇ ଦୁଇ ଜଣ କୋର୍ଟରେ ବିବାହ କରିଥିଲେ । ଏହା ପରେ ଦୁଇ ଜଣ ଜୁନ ମାସରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଏହା ପରେ ଦମ୍ପତି ନିଜ ଗାଁକୁ ଫେରିଥିଲେ । ଏହି ପ୍ରସଙ୍ଗରେ ରମଜାଙ୍କ ପରିବାର ଆପତ୍ତି ଉଠାଇଥିଲେ। ଏଥି ସହ ଯୁବକଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଶନିବାର ସନ୍ଧ୍ୟାରେ ଯାଗନିକ ଦୁଧରେଜିଆ ତାଙ୍କ ବନ୍ଧୁ ହାରଦୀପ ସିଂ ବଜୁବାଙ୍କ ସହ ଘରୁ ବାହାରି ଯାଇଥିବା ବେଳେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ତାଙ୍କ ପତ୍ନୀଙ୍କ ସମ୍ପର୍କୀୟମାନେ ତାଙ୍କୁ ଅଟକାଇ ଲୁହା ପାଇପ୍, କୁରାଢ଼ୀ ଓ ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଜାମନଗରର ସରକାରୀ ଡାକ୍ତରଖାନାକୁ ପଠାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ପୀଡିତାଙ୍କ ମା’ଙ୍କ ଅଭିଯୋଗକୁ ଭିତ୍ତି କରି ଭାଣୱାଡ ଥାନାରେ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ସାଜିଦ ଡେଥା, ସଲିମ ଡେଥା, ଜୁମା ଡେଥା, ଅହମ୍ମଦ ଡେଥା, ଉସମାନ ମୁସା ଏବଂ ହୋତି କାସାମ ବୋଲି ଜଣାପଡିଛି ।