ଅନୁଗୁଳ: ରାଜ୍ୟର ଏବେ ବିଭିନ୍ନ ସ୍ଥାନରେ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ହାତୀଙ୍କୁ ଆକର୍ଷଣ କରୁଛି ପାଚିଲା ଧାନ କ୍ଷେତ । ଆଉ ଏଥିରେ ଏକର ଏକର ଫସଲ ନଷ୍ଟ ହେଉଥିବାବେଳେ ଲୋକଙ୍କ ଜୀବନ ମଧ୍ୟ ଯାଉଛି । ବୁଧବାର ହାତୀ ଆକ୍ରମଣରେ ପୁଣି ଜଣେ ମହିଳାଙ୍କର ଜୀବନ ଯାଇଛି । ମୃତ ମହିଳା ଜଣକ ହେଲେ ଅନୁଗୁଳ ଛେଣ୍ଡିପଦା ବନାଞ୍ଚଳ ବାଘୁଆବୋଲ ଗ୍ରାମର ଟଙ୍କଧର ସାହୁଙ୍କ ପତ୍ନୀ ମନ୍ଦୋଦରୀ ସାହୁ(୪୮)।
ମନ୍ଦୋଦରୀ ସାହୁ ଆଜି ସକାଳେ ଚାଷ ଜମିକୁ ଯାଇଥିଲେ ଧାନ କାଟିବାକୁ । ଏହି ସମୟରେ ହାତୀଟି ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରାଣ ବାୟୁ ଉଡ଼ିଯାଇଥିଲା । ମହିଳାଙ୍କ ମୃତ୍ୟୁ ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ମୃତକଙ୍କ ପରିବାର କ୍ଷତିପୂରଣ ଦେବାକୁ ଅଡ଼ି ବସିଛନ୍ତି । ବନ ବିଭାଗ ମଧ୍ୟ ଖବର ପାଇ ଗାଁରେ ପହଁଚି ଲୋକଙ୍କୁ ବୁଝାସୁଝା କରୁଛି ।
ଅନ୍ୟପକ୍ଷରେ ଆଜି ସୁନ୍ଦରଗଡ଼ ଜିଲ୍ଲା ବଣାଇ ସହରରେ ଗୋଠଛଡ଼ା ଦନ୍ତା ହାତୀ ଆତଙ୍କ ଖେଳାଇଛି । ଫଳରେ ଲୋକେ ଘରୁ ବାହାରିବା ପାଇଁ ଭୟ କରୁଛନ୍ତି । ଦନ୍ତା ହାତୀ ଗାଁ ଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଆତଙ୍କ ଖେଳାଇଛି। ଯାହାକୁ ଦେଖୁଛି ହାତୀ, ସେମାନଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଉଛି ହାତୀ । ହାତୀ ପାଇଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସହରବାସୀ ଆତଙ୍କିତ ହୋଇ ରହୁଥିବାବେଳେ ଘରୁ ବାହାରୁ ନାହାନ୍ତି ।
ସୂଚନାଯୋଗ୍ୟ, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲା ସୀମାନ୍ତରେ ବିଗତ କିଛି ଦିନ ହେଲା ପ୍ରାୟ ୨୦ଟିକିଆ ହାତୀପଲ ଉପଦ୍ରବ ସୃଷ୍ଟି କରୁଛନ୍ତି। ହାତୀମାନେ ଦିନରେ ଜଙ୍ଗଲରେ ରହୁଥିବା ବେଳେ ରାତିହେଲେ ଫସଲ ଖାଇବା ପାଇଁ ଆସୁଛନ୍ତି। ହାତୀପଲ ବ୍ୟତୀତ ଏକ ଗୋଠଛଡ଼ା ଦନ୍ତା ଏହି ଅଞ୍ଚଳରେ ଉପଦ୍ରବ କରୁଛି। ଏହି ହାତୀଟି ଘର ଭାଙ୍ଗୁଛି ଓ ଫସଲ ଉଜାଡୁଛି। ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।