ଉତ୍ତରପ୍ରଦେଶ: ଡାକ୍ତର ହେଉଛନ୍ତି ଦ୍ୱିତୀୟ ଭଗବାନ୍ । ଆମ ଛୋଟରୁ ବଡ଼ ରୋଗର ଚିକିତ୍ସା ପାଇଁ ଡାକ୍ତରଙ୍କ ପରାମର୍ଶ ନେଉଥାଉ। ହେଲେ ଜୀବନରକ୍ଷାକାରୀ କୁହାଯାଉଥିବା ଡାକ୍ତର, ଯେତେବେଳେ ଦାନବ ସାଜିବେ ସେତେବେଳେ ଆପଣ କାହାକୁ ବିଶ୍ୱାସ କରିବେ। ଏମିତି କହିବାର ଅର୍ଥ ହେଲା, ନିକଟରେ ଉତ୍ତରପ୍ରଦେଶରୁ ଏକ ଲଜ୍ଜାକର ଘଟଣା ଘଟିଛି, ଯାହାକୁ ସାଧାରଣରେ ନିନ୍ଦା କରାଯାଉଛି। କାରଣ ଜଣେ ଡାକ୍ତର ଏକ ଛୋଟ ଶିଶୁକୁ ଥଣ୍ଡା ଭଲ କରିବା ପାଇଁ ସିଗାରେଟ୍ ଟାଣିବାକୁ କହୁଛନ୍ତିି। ଏପରିକି ନିଜେ କେମିତି ସିଗାରେଟ୍ ଟଣାଯାଏ, ତାର ଡେମୋ କରି ଛୋଟ ଛୁଆଟିକୁ ଦେଖାଉଛନ୍ତି। ଏହି ଭିଡିଓଟି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
ଘଟଣା ହେଉଛି, ଉତ୍ତରପ୍ରଦେଶର ଜଲାଉନ ଜିଲ୍ଲାର। ଏଠାରେ ଜଣେ ୪ ବର୍ଷର ଶିଶୁକୁ ଥଣ୍ଡା ଭଲ କରିବା ପାଇଁ ପରିବାର ଲୋକେ ମେଡିକାଲ ନେଇଛନ୍ତି। ହେଲେ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା ଜଣେ ଡାକ୍ତର ଜଣକ ସେଇ ୪ବର୍ଷର ଶିଶୁକୁ ସିଗାରେଟ୍ ପିଇଆଇଛନ୍ତି। ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଶିଶୁଟି ଠିକ୍ ଭାବେ ସିଗାରେଟ ଟାଣି ନ ପାରିବାରୁ ଶିଶୁ ମୁହଁରୁ ନିଜେ ସେଇ ସିଗାରେଟ୍ ନେଇ ଏଭଳି ଟାଣ ବୋଲି ଡାକ୍ତର ଜଣକ କହୁଛନ୍ତି। ଖାଲି ସେତିକି ନୁହେଁ, କାଲି ଆସ ପୁଣି ତୁମକୁ ସିଗାରେଟ୍ ଟାଣିବା ଶିଖାଇବି ବୋଲି କହୁଛନ୍ତି। ଭିଡ଼ିଓରେ ସିଗାରେଟ୍ ଟାଣିବାକୁ ପରାମର୍ଶ ଦେଉଥିବା ଏହି ଡାକ୍ତର ହେଉଛନ୍ତି ସୁରେଶ ଚନ୍ଦ୍ରା। ସେପଟେ ଡାକ୍ତରଙ୍କ ଏଭଳି ଅମାବନୀୟ କାଣ୍ଡ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଡାକ୍ତରଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।
ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମଓ) ତୁରନ୍ତ ସମ୍ପୃକ୍ତ ଡାକ୍ତରଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ (ଏସିଏମଓ)ଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।