ପାରାଦ୍ୱୀପ: ପାରାଦ୍ୱୀପ ତାରିଣୀଗଡ଼ାରେ ଏକ ମହିଳାଙ୍କର ରହସ୍ୟ ଜନକ ଭାବେ ମୃତ୍ୟୁ ହୋଇଛି । ୪ ମହଲା ଛାତରୁ ଖସି ମହିଳାଙ୍କର ମୃତ ହୋଇଛି । ମହିଳାଙ୍କ ପରିଚୟ ମିଳିନଥିବାବେଳେ ପାରାଦ୍ୱୀପ ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବତ କରି ଛାନଭିନ୍ ଆରମ୍ଭ କରିଛି ।
ଆଜି ସକାଳୁ ପାରାଦୀପ ତାରିଣୀଗଡାରେ ରହିଥିବା ଶମ୍ଭୁ ଖୁଣ୍ଟିଆଙ୍କ ଖୁଣ୍ଟିଆ ନିବାସ ଗ୍ରିଲ୍ ପାଖରେ ଜଣେ ମହିଳାଙ୍କ ମୃତ ଦେହ ପଡ଼ିଥିବା ଦେଖି ସ୍ଥାନୀୟ ବାସିନ୍ଦା ପୋଲିସକୁ ଖବର ଦେଇଥିଲେ । ମହିଳା ଜଣକ ଉଲଗ୍ନ ଅବସ୍ଥାରେ ତଳେ ମୁହଁ ମାଡ଼ି ପଡ଼ିଥିବାବେଳେ ଏକ ପୋଷାକ କୋଠାର ଅଧାରେ ଝୁଲି ରହିଛି । ଉକ୍ତ କପଡ଼ା ମହିଳାଙ୍କର ହୋଇଥିବା ଅନୁମାନ କରାଯାଉଛି । ଅନ୍ୟପକ୍ଷରେ ମହିଳା ଜଣକ କିଏ କେହି କିଛି କହିପାରୁନାହାଁନ୍ତି । ପାରଦ୍ୱୀପ ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବତ କରିଛି । ଏହା ସହିତ ପାଖରେ ଥିବା ସିସିଟିଭି କ୍ୟାମେରାର ହାର୍ଡଡିସ୍କକୁ ଜବତ କରିଛି । ତେବେ ସେହି କୋଠାରେ ରହୁଥିବା କିଛି ଭଡ଼ାଟିଆଙ୍କୁ ଅଟକ ରଖି ପଚରା ଉଚରା କରୁଛି ।
ସେପଟେ ମହିଳା ଜଣକ କେମିତି ପଡ଼ିଲେ ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଏହା ଆତ୍ମହତ୍ୟା ନା ହତ୍ୟା ନା ଦୁର୍ଘଟଣା ତାହା ବଡ଼ ପ୍ରଶ୍ନ । ଯଦି ଏହା ଆତ୍ମହତ୍ୟା କିମ୍ବା ଦୁର୍ଘଟଣା ହୋଇଥାଏ ତାହା ହେଲେ ସେ ଉଲଗ୍ନ କାହିଁକି ହେଲେ ? ତେଣୁ ତାଙ୍କୁ କେହି ଦୁଷ୍କର୍ମ କରି ହତ୍ୟା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଦାବି କରିଛନ୍ତି । ପୋଲିସକୁ ମୃତ ମହିଳାଙ୍କ ପରିଚୟ ଖୋଜିବାକୁ ଚେଷ୍ଟା କରୁଛି ।