ସମ୍ବଲପୁର: ବୁର୍ଲା ଭିମସାରରୁ ଚୋରି ହୋଇଥିବା ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ରେଙ୍ଗାଲି ନିକଟସ୍ଥ ଗଣେଶ ନଗରରୁ ଉଦ୍ଧାର ହୋଇଛି । ଶିଶୁକୁ ଆମ୍ବୁଲାନ୍ସରେ ବୁର୍ଲା ମେଡ଼ିକାଲକୁ ଅଣାଯାଇଛି । ତାର ଏସଏନସିୟୁରେ ଚିକିତ୍ସା ଚାଲିଛି । ଘଟଣାରେ ସମ୍ପୃକ୍ତି ଥିବା ମହିଳା ଏବଂ ତାଙ୍କ ସ୍ୱାମୀଙ୍କୁ ଅଟକ ରଖାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଅତିରିକ୍ତ ଏସପି ହରିଶ୍ଚନ୍ଦ୍ର ପାଣ୍ଡେ ।
ସେପଟେ ନିଜ ପିଲାକୁ ପାଇବା ପରେ ଓଡ଼ିଶା ପୁଲିସକୁ ଧନ୍ୟବାଦ ଜଣାଇଛନ୍ତି ମାଆ । ଘଟଣା ଘଟିବା ପରଠାରୁ ପୁଲିସ ପ୍ରାଣ ମୂର୍ଚ୍ଛା ଉଦ୍ୟମ କରିଥିଲା ବୋଲି ଶିଶୁର ମାଆ କହିଛନ୍ତି ।
ବୁର୍ଲା ଭିମସାରର ସ୍ତ୍ରୀ ଓ ପ୍ରସୂତି ବିଭାଗରୁ ନବଜାତ ଶିଶୁ ପୁତ୍ର ଚୋରି ହେବା ଘଟଣା ପରେ ତଦନ୍ତ ପାଇଁ ୪ଟି ଟିମ୍ ଗଠନ ହୋଇଥିଲା । ମେଡ଼ିକାଲର ସିସିଟିଭି ଫୁଟେଜରୁ ସମ୍ପୃକ୍ତ ମହିଳାଙ୍କୁ ଚିହ୍ନଟ କରାଯାଇଥିଲା । ଏହା ପରେ ମହିଳାଙ୍କ ଫଟୋକୁ ବିଭିନ୍ନ ଥାନାକୁ ପଠାଯାଇଥିଲା । ଆଇଜି ହିଂମାଶୁ ଲାଲ ଓ ଏସପି ମୁକେଶ କୁମାର ଭମୋଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ତଦନ୍ତକୁ ତ୍ୱରାନ୍ୱିତ କରାଯାଇଥିଲା । ଏମିତି କି ଶିଶୁ ବିଷୟରେ ସୂଚନା ଦେଲେ ୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା । ଶେଷରେ ଏକ ଗୁପ୍ତ ସୂଚନା ପାଇ ରେଙ୍ଗାଲି ଗଣେଶ ନଗରରେ ଶିଶୁ ଥିବା ଜାଣିବାକୁ ପାଇଥିଲା ପୁଲିସ । ଏହା ପରେ ତଦନ୍ତକାରୀ ଟିମ୍, ଏସଡିପିଓ ସେଠାରେ ପହଁଚି ଶିଶୁକୁ ଉଦ୍ଧାର କରିଛନ୍ତି ।
ଘଟଣାକ୍ରମ ଥିଲା ଏମିତି-
ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା ବସନା ଥାନା ଅନ୍ତର୍ଗତ ବଡ଼େସଜାପାଲି ଗ୍ରାମର ମୋହନ ଦାସଙ୍କ ପତ୍ନୀ ସୀତା ପ୍ରସବ ପାଇଁ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆସିଥିଲେ । ୨୪ ତାରିଖରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଭିମସାରକୁ ସ୍ଥାନାନ୍ତର କରାଯାଇଥିଲା । ୨୫ ତାରିଖ ସୋମବାର ଭୋରୁ ସୀତା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ସୀତାଙ୍କୁ ସହଯୋଗ କରିବାକୁ ତାଙ୍କ ଭଉଣୀ ମଧ୍ୟ ତାଙ୍କ ସହିତ ଆସିଥିଲେ ।
ସୀତାଙ୍କ ଭଉଣୀ ସହିତ ମେଡ଼ିକାଲରେ ଜଣେ ଅଜଣା ମହିଳାଙ୍କ ସହିତ ସମ୍ପର୍କ ଗଢ଼ି ଉଠିଥିଲା । ମହିଳା ଜଣକ ସମ୍ବଲପୁରର ବୋଲି ପରିଚୟ ଦେଇଥିଲେ । ଏମିତିକି ତାଙ୍କୁ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ । ଲେବର ରୁମ୍ ଠାରୁ ଆରମ୍ଭ କରି ମେଡ଼ିସିନ ଷ୍ଟୋର୍, ବାଥରୁମ ସବୁଠିକୁ ତାଙ୍କ ସହିତ ଯାଉଥିଲେ ମହିଳା ଜଣକ । ମଙ୍ଗଳବାର ଶିଶୁଟି କାନ୍ଦୁଥିବାର ଦେଖି ପ୍ରଥମେ କୋଳକୁ ନେଇଥିଲେ ମହିଳା । ଏହା ପରେ ଶିଶୁକୁ ସୁଯୋଗ ଦେଖି ଚୋରି କରି ନେଇ ଫେରାର ହୋଇଯାଇଥିଲେ ।
ଏ ନେଇ ମୋହନ ଦାସ ଭିମସାର ଫାଣ୍ଡି ଏବଂ ବୁର୍ଲା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମେଡ଼ିକାଲର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ଉକ୍ତ ଅଜଣା ମହିଳା ଜଣକ ଶିଶୁ ପୁତ୍ରକୁ ନେଇ ଯାଉଥିବାର ଦେଖିବାକୁ ମିଳିଥିଲା । ଯାହା ପରେ ତଦନ୍ତ ଆରମ୍ଭ ହୋଇଥିଲା ।