ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ଚଳନ୍ତା ଟ୍ରେନରେ ଜଣେ ରେଳ କର୍ମଚାରୀଙ୍କ ପିଟି ପିଟି ହତ୍ୟା କରାଯାଇଛି । ମୃତ ରେଳ କର୍ମଚାରୀ ଜଣକ ଜଣେ ନାବାଳିକାକୁ ଅସଦାଚରଣ କରିଥିବା ଅଭିଯୋଗରେ ଉତ୍ତ୍ୟେକ୍ତ ଯାତ୍ରୀ ଏଭଳି ଚରମ ନିଷ୍ପତି ନେଇଥିବା ଜଣା ପଡ଼ିଛି । ମୃତ ରେଳ କର୍ମଚାରୀ ଜଣକ ପ୍ରଶାନ୍ତ କୁମାର ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି ।
ବିହାର ବରୌନାରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଟ୍ରେନ ୦୨୫୬୩ ହମସଫର ଏକ୍ସପ୍ରେସରେ ସିବାନ ଷ୍ଟେସନରୁ ଏକ ପରିବାର ଚଢ଼ିଥିଲେ । ଲକ୍ଷ୍ନୌ ନିକଟରେ କାର୍ଯ୍ୟରତ ପ୍ରଶାନ୍ତ କୁମାର ଜଣେ ନାବାଳିକାକୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏହା ପରେ ଟ୍ରେନରେ ଥିବା କିଛି ଯାତ୍ରୀ ରେଳ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏମିତିକି ଲକ୍ଷ୍ନୌରୁ କାନପୁର ଯାଏଁ ନିରବଚ୍ଛିନ୍ନଭାବେ ପିଟିଥିଲେ । କାନପୁରରେ ଗାଡ଼ି ପହଁଚିବା ପରେ ଅନ୍ୟ ଯାତ୍ରୀମାନେ ଜିଆରପିକୁ ସୂଚନା ଦେଇଥିଲେ । ଜିଆରପି ପହଁଚି ପ୍ରଶାନ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରିଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ମିଳିଥିବା ସୂଚନା ମୁତାବକ, ନାବାଳିକାର ପରିବାର ଏମ୍-୧ କୋଚରେ ଯାତ୍ରା କରୁଥିଲେ । ତାଙ୍କ ମାଆ ଯେତେବେଳେ ଶୌଚାଳୟକୁ ଯାଇଥିଲେ ସେତେବେଳେ ପ୍ରଶାନ୍ତ ନାବାଳିକା ସିଟ୍ ନିକଟରେ ପହଁଚି ତାଙ୍କ ସହିତ ଯିବାକୁ କହିଥିଲେ । ଝିଅଟି କିଛି ବୁଝି ନ ପାରି ଚାଲିଯାଇଥିଲା । ସେଠାରେ ପ୍ରଶାନ୍ତ ଅସଦାଚରଣ କରିଥିଲା ବୋଲି ଝିଅଟି ତା ମାଆକୁ କହିଥିଲା । ଏହା ପୂରା କାଣ୍ଡ ହୋଇଥିଲା ।
ଏ ନେଇ ନାବାଳିକାର ପରିବାର ତରଫରୁ ଅସଦାଚରଣ ମାମଲା ରୁଜୁ ହୋଇଛି । ଅନ୍ୟପକ୍ଷରେ ମୃତ ପ୍ରଶାନ୍ତଙ୍କ ପରିବାର ମଧ୍ୟ ହତ୍ୟା ମାମଲା ରୁଜୁ କରୁଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।