ସାବତ ଝିଅକୁ ଦୁଷ୍କର୍ମ ଉଦ୍ୟମ କରିବାରୁ ସ୍ୱାମୀକୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲା ସ୍ତ୍ରୀ
Khabar Odisha:punjab-ludhiana-murder-wife-step-daughter-police-surrender-case
ପଞ୍ଜାବ, ମେ ୨୫ (ଖବର ଓଡ଼ିଶା):

ପଞ୍ଜାବର ଲୁଧିଆନାରେ ଏକ ସମ୍ବେଦନଶୀଳ ହତ୍ୟା ଘଟଣା ସାମ୍ନାକୁ ଆସିଛି। ସାବତ ଝିଅକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ବେଳେ ସ୍ୱାମୀକୁ ହତ୍ୟା କରିଛି ସ୍ତ୍ରୀ । ଜଣେ 45 ବର୍ଷ ବୟସ୍କା ବ୍ୟକ୍ତି ନିଜ ସାବତ ଝିଅକୁ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରୁଥିବାବେଳେ ତାଙ୍କ ସ୍ତ୍ରୀ ଏବଂ ପୁଅ, ଝିଅ ମିଶି ସ୍ୱାମୀର ତଣ୍ଟି ଚିପି ହତ୍ୟା କରିଦେଇଛନ୍ତି । ସ୍ୱାମୀଙ୍କୁ ହତ୍ୟା କରିବା ପରେ ମହିଳା ଜଣକ ନିଜେ ପୋଲିସ ଷ୍ଟେସନରେ ପହଁଞ୍ଚି ପୁରା ଘଟଣା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ।

ଅଭିଯୁକ୍ତ ମହିଳା ଏବଂ ତାଙ୍କ ପୁଅ ଝିଅ ବିରୋଧରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶନିବାର ରାତିରେ ଲୁଧିଆନାର ଡାରେସି ପୋଲିସ୍ ଷ୍ଟେସନ ଅଞ୍ଚଳର ମହାବୀର ଜୈନ କଲୋନୀ ନିବାସୀ 45 ବର୍ଷର ରାଜକିଶୋର ତାଙ୍କ ପତ୍ନୀ ଗୀତା ଏବଂ ପୁଅ ଏବଂ ଝିଅଙ୍କ ସହ ରହୁଥିଲେ । ରାଜମିସ୍ତ୍ରୀ କାମ କରି ପରିବାର ଚଳାଉଥିଲା ।

ରାଜକିଶୋରଙ୍କ ପତ୍ନୀ ଗୀତା ତାଙ୍କର ପ୍ରଥମ ସ୍ୱାମୀଙ୍କୁ ଛାଡପତ୍ର ଦେଇ ରାଜକିଶୋରଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ତାଙ୍କର ପ୍ରଥମ ସ୍ୱାମୀଙ୍କ ଠାରୁ ଏକ ପୁଅ ଏବଂ ଝିଅ ଥିଲେ, ସେମାନେ ଗୀତାଙ୍କ ସହିତ ରହୁଥିଲେ | ଗୀତା ପୋଲିସକୁ କହିଛନ୍ତି ଯେ ରାଜକିଶୋର ଶନିବାର ରାତିରେ ଘରକୁ ଫେରିଥିଲେ ଏବଂ ତାଙ୍କର 15 ବର୍ଷର ବଡ ଝିଅ ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ। ଯେତେବେଳେ ତାଙ୍କ ଝିଅ ଏହାକୁ ବିରୋଧ କରିଥିଲା, ସେ ତାଙ୍କ ଝିଅକୁ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲା ।

ଗୀତାଙ୍କ କହିବାନୁସାରେ, ଯେତେବେଳେ ସେ ମଧ୍ୟ ତାଙ୍କ ସ୍ୱାମୀଙ୍କୁ ଅଟକାଇବାକୁ ଚେଷ୍ଟା କଲେ, ତାଙ୍କ ସ୍ୱାମୀ ଗୀତାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଲାଗିଲେ, ଏହା ପରେ ସେ ତାଙ୍କ ପୁଅ ଓ ଝିଅ ସହ ମିଶି ରାଜକିଶୋରର ତଣ୍ଟି ଚିପି ହତ୍ୟା କରିଥିଲେ । ତେବେ ଗୀତା ପୋଲିସକୁ ସୂଚନା ଦେଇ କହିଛନ୍ତି ଯେ 2018 ମସିହାରେ ମଧ୍ୟ ରାଜକିଶୋର ତାଙ୍କ ସାବତ ଝିଅକୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ।

ଗୀତା କହିଛନ୍ତି ଯେ ସେତେବେଳେ ମଧ୍ୟ ଏହି ମାମଲା ପୋଲିସ ପାଖରେ ପହଁଞ୍ଚିଥିଲା, କିନ୍ତୁ ଲୋକଲଜ୍ଜା ଭୟରେ ସେତେବେଳେ ଏହି ମାମଲା ଉଭୟଙ୍କ ମଧ୍ୟରେ ରଫାଦଫା ହୋଇଯାଇଥିଲା | ତେବେ ପୋଲିସ ଗୀତା ଏବଂ ତାଙ୍କ ନାବାଳକ ପୁଅ ଏବଂ ଝିଅଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ।

  • Tags:

Subscribe

National International State Sports Entertainment