ଗଞ୍ଜାମ: ମା’ଙ୍କୁ ମଧ୍ୟ ଛାଡ଼ିଲେନି ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରୁ ବଡ଼ ଧରଣର ଚୋରି ହୋଇଛି । ଲକ୍ଷାଧିକ ଟଙ୍କାର ଅଳଙ୍କାର ଏବଂ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ମନ୍ଦିର କର୍ତ୍ତୃପକ୍ଷଙ୍କ ପକ୍ଷରୁ ପୁରୁଷୋତ୍ତମପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
ପ୍ରାଥମିକ ସୂଚନା ମୁତାବକ, ମଙ୍ଗଳବାର ବିଳମ୍ବିତ ରାତିରେ ମା’ ତାରାତାରିଣୀଙ୍କ ମନ୍ଦିର ଗେଟ୍ ଭାଙ୍ଗି କିଛି ଲୁଟେରା ମନ୍ଦିରକୁ ପ୍ରବେଶ କରିଛନ୍ତି । ମା’ଙ୍କ ସୁନା ଅଳଙ୍କାର, ରୂପା ମୁକୁଟ, ଛତ୍ରି, ସହ ବାହାର ଦାନ ହୁଣ୍ଡିରୁ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି । ଦୀର୍ଘ ଦିନ ହେବ ମନ୍ଦିର ହୁଣ୍ଡି ଖୋଲା ଯାଇ ନ ଥିବାରୁ ସେଥିରେ ଲକ୍ଷାଧିକ ଟଙ୍କା ଥିବା ଅନୁମାନ କରାଯାଇଛି ।
ଏ ନେଇ ସକାଳୁ ଦେଖିବା ପରେ ପୁରୁଷୋତ୍ତମପୁର ପୁଲିସକୁ ସୂଚନା ଦିଆଯାଇଛି । ଖବର ପାଇ ପୁଲିସ ମନ୍ଦିରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଲୁଟେରାମାନେ କିପରି ମନ୍ଦିରରେ ପଶିଲେ ସେତେବେଳେ ମନ୍ଦିର କେହି ଥିଲେ ନା ନାହିଁ ସେ ନେଇ ପୁଲିସ ଖୋଳତାଡ଼ କରୁଛି ।