ନୂଆଦିଲ୍ଲୀ: ଯୌନ ଉତ୍ପୀଡ଼ନ ମାମଲାରେ ଫସିଥିବା ଡ୍ୟାନ୍ସ କୋରିଓଗ୍ରାଫର ଶେଖ୍ ଜାନୀ ବାଶା ଓରଫ୍ ଜାନୀ ମାଷ୍ଟରଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ତାଙ୍କୁ ପୁଣି ଏକ ବଡ଼ ଝଟକା ଲାଗିଛି । ଜାନି ମାଷ୍ଟରଙ୍କୁ ମିଳିବାକୁ ଥିବା ଜାତୀୟ ଚଳଚ୍ଚିତ୍ର ପୁରସ୍କାରରୁ ବାଦ ଦିଆଯାଇଛି । ଏହା ସହିତ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ହେବାକୁ ଥିବା ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରୁ ପ୍ରବେଶ ଉପରେ ନିଷେଧ କରାଯାଇଛି । ଏ ନେଇ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି ।
କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଘୋଷଣା ମୁତାବକ, ଜାତୀୟ ଚଳଚ୍ଚିତ୍ର ପୁରସ୍କାରରୁ ଜାନୀ ମାଷ୍ଟରଙ୍କୁ ନିଲମ୍ବିତ କରାଯାଇଛି । ଏହା ସମାରୋହରେ ଯୋଗ ଦେବାକୁ ତାଙ୍କ ଦିଆଯାଇଥିବା ନିମନ୍ତ୍ରଣ ପତ୍ରକୁ ରଦ୍ଦ କରାଯାଇଛି । ତେଣୁ ସେ ଆଉ ଏହି ପୁରସ୍କାର ପାଇ ପାରିବେ ନାହିଁ । ଜାନୀ ମାଷ୍ଟରଙ୍କୁ ୨୦୨୨ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଥିରୁଚାତ୍ରମ୍ବଲମ୍ ପାଇଁ ଶ୍ରେଷ୍ଠ କୋରିଓଗ୍ରାଫର ପାଇଁ ମନୋନୀତ କରାଯାଇଥିଲା ।
ଏକ ୨୧ ବର୍ଷର ଝିଅକୁ ଯୌନ ନିର୍ୟ୍ୟାତନା ଦେବା ମାମଲାରେ ଜାନୀଙ୍କୁ ଗିରଫ କରାଯାଇଛି । ପୋକ୍ସୋ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସେପ୍ଟେମ୍ବର ୧୯ରେ ତାଙ୍କୁ ଗୋଆରୁ ଗିରଫ କରାଯାଇଥିଲା । ୪ ଅକ୍ଟୋବରରେ ୬ ତାରିଖରୁ ୧୦ ତାରିଖ ଯାଏଁ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା । ଅକ୍ଟୋବର ୮ରେ ହେବାକୁ ଥିବା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ସାମିଲ ହେବାକୁ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା ।
ନିକଟରେ ମୁକ୍ତିଲାଭ କରିଥିବା ଶ୍ରଦ୍ଧା କପୁର ଏବଂ ରାଜ କୁମାର ରାଓଙ୍କ ଦ୍ୱାରା ଅଭିନୀତ ସ୍ତ୍ରୀ-୨ରେ ଆଇ ନେହିଁ ଗୀତରେ ସେ କୋରିଓଗ୍ରାଫି କରିଥିଲେ ।