ମୟୁରଭଞ୍ଜ: ମିଳିମିଶି ବୋହୂକୁ ମାରି ଟାଙ୍ଗି ଦେଲେ ଶାଶୁ ଘର ଲୋକ । ଏମିତି ଏକ ଅଭିଯୋଗ ଆସିଛି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ମାଠିଆଭଙ୍ଗା ଗ୍ରାମରୁ । ମୃତା ମହିଳା ଜଣକ ହେଲେ ସୁମନ୍ତ ସେଠୀଙ୍କ ସ୍ତ୍ରୀ ଆରତୀ ସେଠୀ । ଆରତୀଙ୍କ ବାପ ଘର ଲୋକ ଖୁଣ୍ଟା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଗାଁରେ ପହଁଚି ତଦନ୍ତ ଆରମ୍ଭ କରିଛି ।
ଆରତୀ ସେଠୀଙ୍କ ମାଆ ଅଞ୍ଜଳୀ ସେଠୀଙ୍କ ଅଭିଯୋଗ ମୁତାବକ, ଗତକାଲି ସ୍ୱାମୀ ସୁମନ୍ତ ଶ୍ୱଶୁର ଘରକୁ କଲ କରି ଆରତୀ ଆତ୍ମହତ୍ୟା କରିଛନ୍ତି ବୋଲି କହିଛନ୍ତି । ପରିବାର ଆସି ଝିଅର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ । ଝିଅର ସ୍ୱାମୀ, ଶାଶୁ, ଏବଂ ନଣନ୍ଦ ମିଳିମିଶି ତାଙ୍କୁ ହତ୍ୟା କରି ଟାଙ୍ଗି ଦେଇ ଆତ୍ମହତ୍ୟାର ରୂପ ଦେଉଛନ୍ତି ବୋଲି ମାଆ ଅଭିଯୋଗ କରିଛନ୍ତି । ପୂର୍ବରୁ ମଧ୍ୟ ଏମିତି ଝଗଡ଼ା ହୋଇଥିଲା । ଝିଅ ଦେଢ଼ ବର୍ଷକାଳ ବାପାଙ୍କ ଘରେ ଯାଇ ରହୁଥିଲେ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍ୱାମୀ ସୁମନ୍ତ ସେଠୀ । ଘଟଣା ଘଟିବାବେଳେ ସେ ଘରେ ନ ଥିଲେ । ରାତିରେ ଘରକୁ ଫେରିବା ପରେ ଖାଇବାକୁ ବସିଥିଲେ । ତାଙ୍କ ପିଲା ଯାଇ ମାଆକୁ ଡାକିଥିଲା । ମାତ୍ର ଆରତୀ କବାଟ ଖୋଲି ନ ଥିଲେ । କବାଟ ଭାଙ୍ଗି ଦେଖିବା ବେଳକୁ ସେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଥିଲେ ।
ତେବେ ଖୁଣ୍ଟା ପୁଲିସ ଘଟଣା ସ୍ଥଳରେ ପହଁଚି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି । ସ୍ୱାମୀ, ଶାଶୁ ଏବଂ ନଣନ୍ଦଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି ପୁଲିସ ।