ଗଞ୍ଜାମ: ବେଆଇନ ବାଣ ରଖିବାର ସୁରକ୍ଷିତ ସ୍ଥାନ ପାଲଟିଛି ସରକାରୀ ଡାକ୍ତରଖାନା । ଧରାପଡ଼ିବା ଭୟରେ ମେଡ଼ିକାଲରେ ବାଣ ଲୁଚାଇ ରଖାଯାଇଛି । ପୋଲିସ ଡାକ୍ତରଖାନା ଭିତରୁ ଜବତ କରିଛି ଲକ୍ଷ ଲକ୍ଷ ଟଙ୍କାର ବିପୁଳ ପରିମାଣ ବାଣ । ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ପୋଲିସ ସୁନ୍ଦରପୁର ଗାଁରୁ ଦୁଇଟି ସ୍ଥାନରୁ ବେଆଇନ ବାଣ ଜବତ କରିଛି ।
ଡାକ୍ତରଖାନା ପରିସରରେ ବାଣ ରଖାଯାଇଥିବା ପୋଲିସକୁ ସୂଚନା ମିଳିଥିଲା । ଗୁପ୍ତ ଛତ୍ରପୁର ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ଚଢାଉ କରିଥିଲା । ମେଡ଼ିକାଲ ପରିସରରେ ଥିବା ଏକ ପାଣି ଟାଙ୍କିରୁ ପୋଲିସ ପ୍ରାୟ ୬ ଲକ୍ଷ ଟଙ୍କାର ବାଣ ଜବତ କରିଛି । ଏଥିରେ ଜଣଙ୍କୁ ଅଟକ ରଖାଯାଇଛି । ସମ୍ପୃକ୍ତ ବ୍ୟକ୍ତି ଜଣକ ହେଲା ସୁନ୍ଦରପୁର ଗ୍ରାମର ସନ୍ତୋଷ ବେହେରା । ସନ୍ତୋଷ ଡେଙ୍ଗାପଦର ଗାଁରୁ ବାଣ କିଣି ମେଡ଼ିକାଲ ପରିସରରେ ରଖିଥିଲା ।
ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ ଓ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଏହି ଟିମରେ ସାମିଲ ଥିଲେ । ଏହା ପୂର୍ବରୁ ମଧ୍ୟ ସୁନ୍ଦରପୁର ଗାଁରୁ ୧୦ ଲକ୍ଷ ଟଙ୍କାର ବାଣ ଜବତ କରାଯାଇଥିଲା ।