ମାଲକାନଗିରି: ସ୍ତ୍ରୀକୁ ବିଭତ୍ସଭାବେ ହତ୍ୟା କରିବା ପରେ ସ୍ୱାମୀର ଆତ୍ମ ସମର୍ପଣ । ପାରିବାରିକ କଳହର ଏପରି ଏକ କରୁଣ ପରିଣତି ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମଭି ୬୬ ଗ୍ରାମରେ । ଅଭିଯୁକ୍ତ ଜଣକ ହେଲା ନୀତେନ ବିଶ୍ୱାସ । ସେ କାଲିମେଳା ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାପଡ଼ିଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଏମଭି ୬୬ ଗ୍ରାମର ନୀତେନ କାଲିମେଳା ବଜାରରେ ଆଖୁ ରସ ବିକ୍ରି କରି ପରିବାର ଚଳାଉଥିଲା । ଗତକାଲି ବିଳମ୍ବିତ ରାତି ପ୍ରାୟ ୧୧ଟା ସମୟରେ ନୀତେନ ଏବଂ ତାଙ୍କ ସ୍ତ୍ରୀ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଏଥିରେ ସ୍ୱାମୀ ନୀତେନ ଉତକ୍ଷିପ୍ତ ହୋଇ ସ୍ତ୍ରୀକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଫଳରେ ସ୍ତ୍ରୀର ଘଟଣା ସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ିଯାଇଥିଲା ।
ହତ୍ୟାକାଣ୍ଡ ଭିଆଇବା ପରେ ନୀତେନ ନିଜେ ଯାଇ କାଲିମେଳା ଥାନାରେ ଆତ୍ମ ସମର୍ପଣ କରିଥିଲା । ପୋଲିସ ନୀତେନକୁ ଅଟକ ରଖିବା ପରେ ତାଙ୍କ ସ୍ତ୍ରୀଙ୍କ ମୃତ ଦେହକୁ ଜବତ କରିଛି । କେଉଁ କାରଣ ପାଇଁ ହତ୍ୟାକାଣ୍ଡ ଘଟିଲା କିଛି ସ୍ପଷ୍ଟ ହୋଇ ନ ଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।