ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଚାଞ୍ଚଲ୍ୟକର ଘଟଣା ଘଟିଛି । ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ଫେରାର ହୋଇଯାଇଥିବା ନେଇ ପରିବାର ଲୋକେ ଆଣିଛନ୍ତି ଅଭିଯୋଗ । ମୃତ ମହିଳା ଜଣକ ହେଲେ ମଞ୍ଚେଶ୍ୱର ଥାନା ଚକେଇଶିଆଣି ଅଞ୍ଚଳର ନନ୍ଦିତା ବେହେରା । ସ୍ୱାମୀ ଗୁପ୍ତେଶ୍ୱର ବେହେରା ଫେରାର ଅଛି । ଏ ନେଇ ଝିଅର ପରିବାର ଲୋକ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି ।
୨୦୧୮ରେ କଟକ ନିଆଳିର ଗୁପ୍ତେଶ୍ୱରଙ୍କୁ ବିବାହ କରିଥିଲେ ନନ୍ଦିତା ବେହେରା । ଉଭୟ ଭୁବନେଶ୍ୱରରେ ରହୁଥିଲେ । ଗୁପ୍ତେଶ୍ୱର ଚକେଇଶିଆଣିରେ ଏକ ମୋବାଇଲ ଦୋକାନ କରିଥିଲେ । ଉଭୟ ପତିପତ୍ନୀଙ୍କ ମଧ୍ୟରେ ଗତକାଲି ରାତିରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା । ଏହା ପରେ ଗୁପ୍ତେଶ୍ୱର ନନ୍ଦିତାଙ୍କ ପରିବାରକୁ କଲ୍ କରି ଜଣାଇଥିଲେ ଯେ ତାଙ୍କର ମୃତ୍ୟୁ ହୋଇ ହୋଇଯାଇଛି ।
ନନ୍ଦିତାଙ୍କ ପରିବାର ଲୋକ କ୍ୟାପିଟାଲ ହସ୍ପିଟାଲରେ ପହଁଚିବା ପରେ ଗୁପ୍ତେଶ୍ୱରଙ୍କ ଆଉ ପାଇ ନ ଥିଲେ । ଝିଅର ଆକସ୍ମିକ ମୃତ୍ୟୁକୁ ପରିବାର ଲୋକ ସହଜରେ ଗ୍ରହଣ କରିପାରି ନାହାଁନ୍ତି । ଗୁପ୍ତେଶ୍ୱର ନନ୍ଦିତାଙ୍କୁ ହତ୍ୟା କରିବା ପରେ ମେଡ଼ିକାଲରେ ମୃତ ଦେହକୁ ଛାଡ଼ି ଫେରାର ହୋଇଯାଇଥିବା ପରିବାର ଲୋକେ କହିଛନ୍ତି । ପୋଲିସ ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।